
- ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ପ୍ରକାର ସରକାରୀ ଯୋଜନା ସତ୍ୱେ ଅନେକ ହିତାଧିକାରୀ ସେଥିରୁ ଲାଭ ପାଉନାହାନ୍ତି । ଅନେକ ଭିନ୍ନକ୍ଷମ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜର ଆବେଦନ ମଧ୍ୟ କରିପାରନ୍ତି ନାହିଁ । ଏପରି ସ୍ଥଳେ ବିଭାଗୀୟ କର୍ମଚାରୀମାନେ ତାଙ୍କ ପାଖକୁ ଆସି କାଗଜପତ୍ର ସବୁ ପ୍ରସ୍ତୁତ କରିବା ଦରକାର କିନ୍ତୁ ସରକାରୀ କର୍ମଚାରୀ ଏଥିରେ ଫେଲ ମାରୁଛନ୍ତି । ତେଣୁ ଏହି ଯୋଜନା ଯେଉଁମାନଙ୍କ ପାଇଁ ତିଆରି ହୋଇଛି, ସେମାନଙ୍କ ପାଇଁ ସମ୍ବେଦନଶୀଳ ହୋଇ ଜିଲ୍ଲା ପ୍ରଶାସନ କାମ କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଖଲିଆପାଲି ପଂଚାୟତର କିରାବାହାଲ ଠାରେ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ଲକ ସ୍ତରରେ ଯେତେ ଜନହିତ ଯୋଜନା ଅଛି ଲୋକେ ତାର ସୁବିଧା ପାଉନାହାନ୍ତି । ଉଦାହରଣ ସ୍ୱରୁପ ଏ ଅଂଚଳରେ ଅନେକ ଗୁହାଳ ତିଆରି କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ଆସୁଥିବା ଟଙ୍କା ସେମାନେ ପାଇ ପାରୁନାହାନ୍ତି । ଏହି ଯୋଜନାରେ ଶ୍ରମ କାମ ଟଙ୍କା ଆସୁଥିବା ବେଳେ ବର୍ଷ ବର୍ଷ ଧରି ସାମଗ୍ରୀ ପାଇଁ ଅନୁଦାନ ଆସୁନାହିଁ । ଏପରି ସ୍ଥଳେ ହିତାଧିକାରୀ ଟଙ୍କା ଖର୍ଚ୍ଚ କରି ଘୋର ଅସୁବିଧାରେ ଅଛନ୍ତି । ସେହିପରି ଅଂଚଳରେ ଷ୍ଟ୍ରିଟ ଲାଇଟ ମରାମତି, ପିଇବା ପାଣି ସମସ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗୁଛି । ଅଂଚଳର ଜୀବନରେଖା କୁହାଯାଉଥିବା ଛତାମଖନା ବ୍ୟାରେଜର ସୌନ୍ଦର୍ଯ୍ୟୀକରଣ ତଥା ମାଟିବନ୍ଧ ପାଇଁ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଉନାହିଁ । ଏସବୁ ଅଭିଯୋଗ ଶୁଣିଲା ପରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ନିଶ୍ଚିତ ଭାବରେ ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ କଥା ହୋଇ ଯେତେ ଶୀଘ୍ର ହେବ ଏ ସବୁର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଅଂଚଳର ସୁଶିଲ ମହାକୁର, ସୂର୍ଯ୍ୟନାରାୟଣ ବଗର୍ତ୍ତି, ଦିନବନ୍ଧୁ ମହାକୁର, ବାଳଗୋପାଳ ମହାକୁର, ସତ୍ୟନାରାୟଣ ମହାକୁର, ଉମେଶ ବାରିକଙ୍କ ସମେତେ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।