csstore

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ରାଉରକେଲା, (କେପିଏନ୍‌ଏସ୍‌) : ୧୮୦ରୁ ଅଧିକ ଦେଶରେ ବ୍ୟାପ୍ତ ପ୍ରସିଦ୍ଧ ଆଧ୍ୟାତ୍ମିକ ତଥା ମାନବବାଦୀ ସଂଗଠନ ‘ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ’ର ସଂସ୍ଥାପକ ପରମ ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆସନ୍ତା ମଇ ୧୩ ତାରିଖରେ ୭୦ତମ ଜନ୍ମ ମହୋତ୍ସବ ପାଳନ ପାଇଁ ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୂଲ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜନ୍ମ ମହୋତ୍ସବ ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗରର ବିଭିନ୍ନ ସ୍ଥାନରେ ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷଣ ଶିବିର, ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳ ତଥା ବସ୍ତି ଗୁଡ଼ିକରେ ନିଶୁଳ୍କ ଯୋଗ ଧ୍ୟାନ ପ୍ରାଣାୟାମ ଶିବିର ଆଦି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜନ୍ମ ମହୋତ୍ସବ ପାଳନ ସମ୍ପର୍କରେ ସୂଚନା ଦେବା ପାଇଁ ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏକ ଗଣମାଧ୍ୟମ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ଗଣମାଧ୍ୟମ ସମ୍ମିଳନୀକୁ ରାଉରକେଲା ଶ୍ରୀ ଶ୍ରୀ ବିଦ୍ୟା ମନ୍ଦିର ସମୂହର ନିର୍ଦ୍ଦେଶକ ଡକ୍ଟର ଗିରିଜା ଶଙ୍କର ଦାସ, ଅଧ୍ୟକ୍ଷ ଡଃ ଶ୍ରୀମତୀ ଖୁସବୁ ଜ୍ୟୋତି ଆର୍ଟ ଅଫ୍ ଲିଭିଂ ଗଣମାଧ୍ୟମ ସଂଯୋଜକ ତଥା ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ରଶ୍ମି ରଞ୍ଜନ ଦାସ ପରିଚାଳନା କରିଥିଲେ । ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ମହୋତ୍ସବ ଉପଲକ୍ଷେ ମଇ ୧୩ ତାରିଖ ସକାଳେ ସହରର ବିଭିନ୍ନ ସ୍ଥାନରେ ସୁଦର୍ଶନ କ୍ରିୟା ସାଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏକ ରକ୍ତଦାନ ଶିବିର, ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ, ସର୍ବତ ବଣ୍ଟନ ଆଦି ଆୟୋଜନ କରାଯିବ । ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟାରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିବେ । ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମ ଦିବସ ଉପଲକ୍ଷେ ଆର୍ଟ ଅଫ୍ ଲିଭିଂ ରାଉରକେଲା ପରିବାର ଆନୁକୂଲ୍ୟରେ ସହରର ବିଭିନ୍ନ ବସ୍ତି ଏବଂ ନିକଟସ୍ଥ ଗ୍ରାମାଞ୍ଚଳରେ ଯୋଗ ଧ୍ୟାନ ପ୍ରାଣାୟାମ, ନୈସର୍ଗିକ କୃଷି ସମ୍ପର୍କରେ ନିଶୁଳ୍କ ପ୍ରଶିକ୍ଷଣ, ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବିଭିନ୍ନ କାରାଗାର ଅନ୍ତେବାସୀଙ୍କ ପାଇଁ ସୁଦର୍ଶନ କ୍ରିୟା ପ୍ରଶିକ୍ଷଣ, ଇସ୍ପାତ କାରଖାନାର ବିଭିନ୍ନ ପାର୍ଶ୍ୱାଞ୍ଚଳ ବିକାଶ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ଆଦି ସେବା କାର୍ଯ୍ୟକ୍ରମର ରୂପାୟନ ଘଟିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିରର ଆଭିମୁଖ୍ୟ ସମ୍ପର୍କରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅଧ୍ୟକ୍ଷା ଡ. ଖୁସ୍‌ବୁ ଜ୍ୟୋତି କହିଥିଲେ ଯେ, ଏହି ବିଦ୍ୟା ମନ୍ଦିରରେ ପାଠ ପଢିବା ସହିତ ଏକ ମାନସିକ ଚାପ ମୁକ୍ତ ଜୀବନ ଜିଇଁବା ପାଇଁ ବିଭିନ୍ନ ଉପଯୋଗୀ ପ୍ରଶିକ୍ଷଣ ଦିଆଯାଉଛି । ଏଠାରୁ ଶିକ୍ଷା ପାଉଥିବା ଛାତ୍ରଛାତ୍ରୀମାନେ ଜୀବନ ଏବଂ ଜୀବିକା ଉଭୟ କ୍ଷେତ୍ରରେ ଜଣେ ଜଣେ ସଫଳ ନାଗରିକ ହୋଇ ଆଗକୁ ବଢିବେ ବୋଲି ସେ ପ୍ରକାଶ କରିଥିଲେ । ବିଦ୍ୟା ମନ୍ଦିରରେ ପିଲା ମାନଙ୍କୁ ଆଧୁନିକ ବିଜ୍ଞାନର କୃତ୍ରିମ ବୁଦ୍ଧିମତ୍ତା ଏବଂ ଆଧ୍ୟାତ୍ମିକ ବିଜ୍ଞାନର ଗଭୀର ଧ୍ୟାନ ସମାଧି ଆଧାରିତ ପରମ ବୁଦ୍ଧିମତ୍ତା ଉଭୟ ଦିଗରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ । ବିଦ୍ୟା ମନ୍ଦିରର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ସର୍ବୋଚ୍ଚ ନମ୍ବର ରଖିଥିବା ପିଲାଙ୍କୁ ଜନ୍ମତ୍ସୋବରେ ଆର୍ଥିକ ପୁରସ୍କାର ସହିତ ସମ୍ମାନିତ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସର୍ବଶେଷରେ ଗଣମାଧ୍ୟମ ସଂଯୋଜକ ତଥା ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ରଶ୍ମି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.