
ଜୟପାଟଣା, (ଶେଷଦେବ ବେହେରା) : “ଦେଲା ନାରୀ ହେଲା ପାରି” ଶବ୍ଦକୁ ଭୁଲ ପ୍ରମାଣିତ କରିଥିବା ଜଣେ ୭୫ ବର୍ଷୀୟା ବୁଢ଼ୀ ମା’ଙ୍କ କାନ୍ଧରେ ଦୁଇ ନାତୁଣୀଙ୍କ ବୋଝ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ଯବାନ ଝିଅ ସାପ କାମୁଡାରେ ଆରପାରିକୁ ଚାଲି ଯାଇଥିଲା ହେଲେ କୋଳରେ ଜନ୍ମ ଦେଇଥିବା ଦୁଇ ଶିଶୁ କନ୍ୟା ଅନିଶ୍ଚିତ ଜୀବନ ନେଇ ରହିଗଲେ । ସ୍ତ୍ରୀ ମୃତ୍ୟୁ ପରେ ବାପା ମଧ୍ୟ ଶିଶୁ କନ୍ୟା ମାନଙ୍କୁ ପର କରିଦେଲା । ଶିଶୁ ମାନଙ୍କ ପାଇଁ ପିତୃତ୍ଵ ମଧ୍ୟ କଠୋର ହୋଇଗଲା । ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ଜାନିପଡ଼ା ଗାଁ । ଖଟିଲେ ଖାଇବା ସ୍ଥିତି ଥାଇ ମଧ୍ୟ ଗାଁରେ ରହିଥିବା ମଣିଷ ମାନଂକ ହାତରେ ରୋଜଗାର ନାହିଁ । ବର୍ଷାରେ କିଛି ଶସ୍ୟ ଉତ୍ପାଦନ କରି ଜୀବନ ଧାରଣ କରିଥାନ୍ତି । ତାହା ବି ଏବେ କମି କମି ଆସୁଛି । ପଥର ଭାଙ୍ଗି ସାମାନ୍ୟ ରୋଜଗାର ପନ୍ଥା ବାହାର କରୁଥିବା ବେଳେ ଏବେ ବିଭାଗୀୟ କଟକଣା ଜୀବନ ଧାରଣ ପନ୍ଥା ପ୍ରତି ଗତିରୋଧ କରିସାରିଲାଣି । ସେଭଳି ଏକ ଗାଁର ରବି ମାଝୀ । ପଡୋଶୀ ସୋମବାରୀ ମାଝୀଙ୍କ ଝିଅ ଡମେନ ମାଝୀ ସାଙ୍ଗରେ ବିବାହ ବନ୍ଧନରେ ବାଦ୍ଧି ହୋଇଥିଲେ । ଭାଗ୍ୟରେ ଦୁଇ ଝିଅ ଅଞ୍ଜଳି ଓ ସଞ୍ଜୁ । ବଡ଼ ଝିଅକୁ ୬ ବର୍ଷ ଓ ସାନ ଝିଅକୁ ଦୁଇ ବର୍ଷ ହୋଇଥିବା ବେଳେ ମାଆ ଡମେନ ସାପ କାମୁଡାରେ ଆରପାରିକୁ ଚାଲିଗଲେ । ମାଆଙ୍କ ଚାଲିଯିବାର ଶୂନ୍ୟତା ଶିଶୁମାନେ ଭୋଗୁଥିବା ବେଳେ ବାପା ରବି ମଧ୍ୟ ସେମାନଙ୍କ ପାଇଁ ଦରଦ ହୀନ ହୋଇଗଲା । କେତେବେଳେ କେମିତି ଘରକୁ ଆସି ଶିଶୁ ମାନଙ୍କ ଉପାରେ ଅତ୍ୟାଚାର କରୁଥିବା କଥା ଗାଁ ଲୋକେ ବୟାନ କରନ୍ତି । ଏଭଳି ସ୍ଥିତିରେ ବୁଢୀମା ସୋମବାରୀ ଦୁଇ ଶିଶୁ କନ୍ୟାଙ୍କୁ କୋଳେଇ ନେଇ ନିଜର ଅଭାବ ସତ୍ତ୍ୱେ ଦୁଇ ଓଳିର ଖାଦ୍ୟ ଓ ସେବା ଯତ୍ନ ମୁଣ୍ଡେଇଲା । ଏବେ ବଡ଼ଝିଅ ଅଞ୍ଜଳିର ବୟସ ୧୦ଥିବା ବେଳେ ରାଣୀବାହାଲ୍ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି । ସାନ ଝିଅର ବୟସ ଏବେ ଛଅ ବର୍ଷ । ଦୁଇ ଝିଅଙ୍କ ପାଇଁ ପଡି ଚାଉଳ ମିଳୁ ନ ଥିବା ବେଳେ ବୁଢ଼ୀ ମାଆ ସୋମବାରୀଙ୍କ ପାଇଁ ଜୀବନ ଧାରଣ ଅନେକ କଷ୍ଟ ଦେଉଥିବା ପ୍ରକାଶ କରିଥଲେ । ଦୁଇ ମାଆ ଛେଉଣ୍ଡ ଅନାଥିନି ମାନଙ୍କ ପାଇଁ ସରକାରୀ ସହାୟତା ସହିତ ଖାଦ୍ୟ ସୁରକ୍ଷାକୁ ସ୍ଵାଭାବିକ କରିବା ପାଇଁ ଦାବୀ ହେଉଛି ।