
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ୨୬ ନମ୍ୱର ଜାତୀୟ ରାଜପଥ ହାଇସ୍କୁଲ ଛକ ନିକଟରେ ମଙ୍ଗଳାବର ଅପରାହ୍ଣ ପ୍ରାୟ ୩ଟା ବେଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରେ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ୪ ଗୁରୁତରଙ୍କୁ ବୁର୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର – ବରଗଡ ଜାତୀୟ ରାଜପଥ ବଲାଙ୍ଗିର ପଟକୁ ଯାଉଥିବା ଏକ ଦ୍ରୁତଗାମୀ କାର ଓ ମହାପାତ୍ର ନାମକ ଏକ ଘରୋଇ ବସ୍ ମଧ୍ୟରେ ଡୁଙ୍ଗୁରିପାଲି ହାଇସ୍କୁଲ ଛକ ଠାରେ ମୁହାମୁହିଁ ଧକ୍କା ହେବା ଫଳରେ କାରରେ ଥିବା ମଧ୍ୟପ୍ରଦେଶର ଭୋପାଲ ଅଞ୍ଚଳର ବୀରେନ୍ଦ୍ର ସିଂ (୬୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ତାଙ୍କ ପତ୍ନୀ ଓ ପୁଅ ଗୁରତର ଥିବା ବେଳେ ବୋହୂ ଓ ୨ ଶିଶୁ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନା ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ବସ୍ ଚାଳକଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଓ ହେଲପରଙ୍କ ଛାତିରେ ମାଡ଼ ହୋଇଥିବାରୁ ତାଙ୍କୁ ମଧ୍ୟ ବୁର୍ଲା ପଠାଯାଇଥିବା ଜଣାଯାଇଛି । ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି । ପ୍ରକାଶ ଯେ, ଭୋପାଲ ସର୍କଲ ଜଗଦଲପୁର ଆର୍ବିଓ କର୍ମଚାରୀ ହର୍ସଲ କୁମାର ପରିବାର ସହ ଏକ କାର୍ (ସିଜି୧୭ ଏଲଡି ୮୫୪୯)ରେ ବଲାଙ୍ଗିର ପଟକୁ ଯାଉଥିଲେ । ହାଇସ୍କୁଲ ଛକ ନିକଟରେ ମହାପାତ୍ର ନାମକ ଘରୋଇ ବସ୍ (ଓଆର୍ ୧୭ କେ ୦୫୭୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ହର୍ସଲ କାର୍ ଚଳାଉଥିବା ବେଳେ ବୀରେନ୍ଦ୍ର ସିଂ ପାଖରେ ବସିଥିଲେ । ଏଥିରେ ଘଟଣାସ୍ଥଳରେ ବୀରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । କାର ଭିତରେ ଥିବା ତାଙ୍କ ପତ୍ନୀ ନିର୍ମଳା ସିଂ (୬୨) ଓ ପୁଅ ହର୍ସଲ କୁମାର (୪୮) ଗୁରୁତରଙ୍କୁ ଭୀମସାର ବୁର୍ଲାରେ ଭର୍ତ୍ତି କରଯାଇଥିବା ଜଣାପଡିଛି ।