mahavir

ପାଣି ପଞ୍ଚାୟତ ସଭାରେ ଚାଷୀଙ୍କ କଠୋର ନିଷ୍ପତ୍ତି

  • ମରାମତି କାର୍ଯ୍ୟ ପାଣି ପଞ୍ଚାୟତ ହାତକୁ ଦିଆଯାଉ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ବିଭିନ୍ନ ମାଇନର ଓ ସବ ମାଇନର କେନାଲ ମାନଙ୍କରେ ମୁକ୍ତ ଜଳ ସେଚନ ପାଇଁ ଅନେକ ଅନ୍ତରାୟ ସୃଷ୍ଟି ହେଉଥିବା ବେଳେ ଆୟୋଜିତ ପାଣି ପଞ୍ଚାୟତ ମାନଙ୍କର ସଭାରେ ଅନେକ ଚାଷୀ କେନାଲ ମନଙ୍କର ସ୍ଥିତାବସ୍ଥାକୁ ନେଇ ସ୍ୱର ଉଠାଇଥିବା ସୁଚନା ମିଳିଛି । ଗତ ମଙ୍ଗଳବାର ଦିନ ବିମଳା ମଣ୍ଡି ଠାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ କୁସୁମ ଖୁଣ୍ଟି ବିଭାଜନର ସହକାରୀ ଯନ୍ତ୍ରୀ କେ. ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥିବା ବେଳେ କର୍ମେଲି, କୂଚାଗାଁ, ପାଇକବାହାଲ, ସର୍ଗିଗୁଡ଼ା, ଭଇଁରିପାଲି, ପୋଡ଼ାଗୁଡ଼ା ଆଦି ପାଣି ପଞ୍ଚାୟତର ୫୦ରୁ ଅଧିକଚାଷୀ ଓ କର୍ମକର୍ତ୍ତା ଉପସ୍ଥିତ ରହି କେନାଲ ମାନଙ୍କର ରକ୍ଷଣା ବେକ୍ଷଣ ଉପରେ ପ୍ରଶ୍ନ ଉଠାଇଥିଲେ । ବିଭିନ୍ନ ସ୍ଥାନରେ କେନାଲ ମାନଙ୍କରେ ମୃତ୍ତିକା ଅବକ୍ଷୟ ସାଙ୍ଗକୁ କେନାଲ ସବୁ ମରାମତି ଅଭାବରେ ପୋତି ହୋଇ ଯାଉଥିବା ବେଳେ ଅନେକ ସ୍ଥାନରେ ଘାସ ଲଟା ମାଡ଼ି ଅବାଧ ଜଳ ସେଚନ ପାଇଁ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲେ । ଖରିଫ ସେଚନ ପୂର୍ବରୁ ସଠିକ ଆକଳନ କରି ଠିକାଦାର ନିଯୁକ୍ତି ନ କରି ସଂପୃକ୍ତ ପାଣି ପଞ୍ଚାୟତ ମାନଙ୍କୁ କେନାଲ ଗୁଡ଼ିକର ମରାମତି ଦାୟିତ୍ଵ ସହ ବିଭାଗୀୟ ସମ୍ପର୍କକୁ ପାଣି ପଞ୍ଚାୟତ ମାନଙ୍କ ସାଙ୍ଗରେ ସୁଦୃଢ କରିବା ପାଇଁ ଦାବୀ ଉଠିଥିଲା । ବିଭିନ୍ନ ସମୟରେ ଅନୁଦାନକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପରବର୍ତ୍ତୀ ଦିନରେ ଆବଶ୍ୟକୀୟ ଅର୍ଥ ବିନିଯୋଗ ପାଇଁ ଦାବୀ ଉଠିଥିଲା । ସମ୍ପୂର୍କ୍ତ ସଭାର ଅଗ୍ରଣୀ ଚାଷୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ସୀମାଞ୍ଚଳ ସାହୁ, ନିରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ପଣ୍ଡା, ଯୁଧିଷ୍ଠିର ପୁଝାରୀ, ଉଦ୍ଧବ ସାହୁ, ଥବିର ରାଉତ, ରାଜକୁମାର ନାଏକ, ବଳଭଦ୍ର ନାଏକ, ହେମନ୍ତ ରାଉତ, ସତ୍ୟାନନ୍ଦ ପୁଝାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥଲେ । କନିଷ୍ଠ ଯନ୍ତ୍ରୀ ବାପୁନ୍ ବେହେରା ଧନ୍ୟବାଦ୍ ଅର୍ପଣ କରିଥଲେ ।

Leave A Reply

Your email address will not be published.