mahavir

ପୂର୍ବତନ ସୈନିକ ରାଜକିଶୋର ପାଢ଼ୀଙ୍କର ଦେହାନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ପୂର୍ବତନ ସ୍ଥଳସେନା ସୈନିକ ରାଜକିଶୋର ପାଢ଼ୀଙ୍କର ୬୫ ବର୍ଷ ବୟସରେ ନିଜସ୍ୱ ବାସଭବନ ବୋଳକଣା ଗ୍ରାମରେ ତା. ୧୪/୦୪/୨୦୨୬ ରିଖ ରାତ୍ର ଘ. ୧୨. ୧୫ ମି. ସମୟରେ ପରଲୋକ ହୋଇଯାଇଛି । ପିତା ସ୍ୱର୍ଗତ ପରମାନନ୍ଦ ପାଢ଼ୀ ଓ ମାତା ସ୍ୱର୍ଗତା ଅନ୍ନପୂର୍ଣ୍ଣା ପାଢ଼ୀଙ୍କର ତା ୦୧/୦୫/୧୯୬୧ରିଖେ କୋଳମଣ୍ଡନ କରିଥିବା ସ୍ୱର୍ଗତ ପାଢ଼ୀ ବୋଳକଣା ମାଇନର ବିଦ୍ୟାଳୟରେ ଶିକ୍ଷାସମାପ୍ତ ପରେ ବେରବୋଇ ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସରେ ରହି ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ଭାରତୀୟ ସ୍ଥଳସେନାରେ ସୈନିକ ଭାବେ ଯୋଗଦେଇ କୃତିତ୍ୱର ସହ କାର୍ଯ୍ୟ ସଂପାଦନ କରି ୧୯୯୬ ମସିହାରେ ଅବସର ଗ୍ରହଣ କରିଥିଲେ । ଚାକିରୀ ସମୟରେ ବାମପଟ ବାହୁରେ ଗୁଳିବାଜି ଉତ୍ତରପ୍ରଦେଶର ଲକ୍ଷ୍ନୌ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ପାଢ଼ୀଙ୍କୁ ଦେଖା କରିବା ପାଇଁ ତାଙ୍କ ମାତା ଅନ୍ନପୂର୍ଣ୍ଣା ପାଢ଼ୀ, ଅନ୍ତରଙ୍ଗ ସହପାଠୀ ସାଙ୍ଗ ତଥା ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା, ବୋଳକଣା ଗ୍ରାମର ଧନଞ୍ଜୟ ପରିଡା ଯାଇଥିଲେ । କବାଡି, ଭଲିବଲ, ଫୁଟବଲ ଖେଳରେ ଦକ୍ଷତା ଥିବା ଶ୍ରୀ ପାଢ଼ୀ ବହୁ ଅନୁଷ୍ଠାନରୁ ପୁରସ୍କୃତ ହେବାସହ ଅଂଚଳ ପାଇଁ ବେଶ ସୁନାମ ଆଣିଥିଲେ । ଚାକିରୀ ସମୟରେ ବନ୍ଧୁକ ନିଜ ନମରେ ଲାଇସେନ୍ସ କରି ଆଣିବା ସହ ଅବସର ପରେ ବିଭିନ୍ନ ବ୍ୟାଙ୍କରେ ବନ୍ଧୁକଧାରୀ ଭାବେ କାର୍ଯ୍ୟ କରିବା ସହ ନିଜ ଜମିରେ ଉଠାଜଳସେଚନ ପଏଣ୍ଟ କରି କୃଷିକ୍ଷେତ୍ରକୁ ଗୁରୁତ୍ୱ ଦେଇ ଚାଷ କାର୍ଯ୍ୟକୁ ଆଗେଇ ନେଇଥିଲେ । ବୋଳକଣା ଗ୍ରାମ୍ୟ କମିଟିର ସଭାପତି ରହି ଗ୍ରାମ୍ୟ ବିକାଶରେ ନିଜକୁ ସାମିଲ କରିଥିଲେ । ବହୁ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ସହିତ ଜଡିତ ଥିଲେ । ଜଣେ କଳାକାର ଭାବେ ନାଟକ ମଞ୍ଚସ୍ଥରେ ସିଦ୍ଧହସ୍ତ ଥିଲେ । ଫକୀର ଚରଣ ପାଢ଼ୀଙ୍କର ରଚିତ ବିଜ୍ଞାନ ପୁସ୍ତକ ‘ସ୍କାଇଲାବ’ର ସେ ପ୍ରକାଶକ ଥିଲେ । ସେଥିପାଇଁ ଡେଲାଙ୍ଗ ଷ୍ଟେସନ ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ‘ଶାଶ୍ୱତ ସାଂସ୍କୃତିକ ପରିଷଦ’ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିଲେ । ବେରବୋଇ ଉଚ୍ଚ ବିଦ୍ୟାଳୟ ଛାତ୍ରବାସରେ ଥିବାବେଳେ ଖେଳରେ ଓ ଗଣିତ ପାଠରେ ବିଶେଷ ପାରଦର୍ଶିତା ଆଣିବାରୁ ଶିକ୍ଷକମାନେ ଶ୍ରୀ ପାଢୀଙ୍କୁ ‘ବୋଳକଣା ରତ୍ନ’ ନମରେ ଅଭିହିତ କରୁଥିଲେ । ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ପୂରୀ ସ୍ୱର୍ଗଦ୍ୱାରରେ ଜ୍ୟେଷ୍ଠ ଭ୍ରାତା ଫକୀର ଚରଣ ପାଢ଼ୀ, ଭଉଣୀ ଉର୍ମିଳା ପାଢ଼ୀ, ଶୈଳବାଳା ପାଢ଼ୀ, ଭିଣୋଇ ଲକ୍ଷ୍ମୀଧର ଦାଶ, ବିରଞ୍ଚି ବଡ଼ପଣ୍ଡା, ଭଣଜା ରାଜା, ବାପି, ଝିଆରୀ ସବିତା ପାଢ଼ୀ, କବିତା ପାଢ଼ୀ, ଝିଆରୀ ଜ୍ୱାଇଁ ସୋମନାଥ ସେନାପତି, ରାଜକିଶୋର ମନୋହାରୀ,ବନ୍ଧୁ ପ୍ରିୟଜନଙ୍କ ଉପସ୍ଥିତିରେ ପୁତ୍ର ପ୍ରକାଶ ପାଢ଼ୀ, ଆକାଶ ଚନ୍ଦ୍ର ପାଢ଼ୀଙ୍କ ମୁଖାଗ୍ନିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଦୁଇପୁତ୍ର ସହ ସ୍ତ୍ରୀ ବିଜୟଲଷ୍ମୀ ପାଢ଼ୀ ଅଛନ୍ତି । ସ୍ୱର୍ଗତ ପାଢ଼ୀ ବର୍ଷୀୟାନ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କର କନିଷ୍ଠ ଭ୍ରାତା ହୋଇଥିବା ବେଳେ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର ଆଇନଜୀବୀ ହୃଷୀକେଶ ପାଢ଼ୀ (ପ୍ରକୃତିବନ୍ଧୁ)ଙ୍କର କାକା ଅଟନ୍ତି । ଶ୍ରୀ ପାଢ଼ୀ ପୂର୍ବରୁ ବ୍ରେନ ଷ୍ଟ୍ରୋକ ରୋଗରେ ଚିକିସ୍ଥିତ ହେଇ ଘରକୁ ଫେରିଥିଲେ । ସେ ଜଣେ ପରୋପକାରୀ, ଦୟାବାନ, ମିଷ୍ଟଭାଷୀ ବ୍ୟକ୍ତିରୂପେ ସମଗ୍ର ଅଂଚଳରେ ଜଣାଶୁଣା । ତାଙ୍କ ପରଲୋକରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.