ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପ୍ରାଣକେନ୍ଦ୍ର କୁହାଯାଉଥିବା ମୁଖ୍ୟ ବଜାର ତଥା ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ତୀବ୍ର ହେବାରେ ଲାଗିଛି । ସାଧାରଣ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାଣି ଫିଲ୍ଟର ଓ କୁଲର ବ୍ୟବସ୍ଥା ଦୀର୍ଘ ଏକ ବର୍ଷ ହେବ ଅକାମି ହୋଇପଡ଼ିରହିଛି । ଫଳରେ ଏହି ପ୍ରଚଣ୍ଡ ରୌଦ୍ରତାପରେ ବାହାରୁ ଆସୁଥିବା ପଥିକ ଓ ସ୍ଥାନୀୟ ବ୍ୟବସାୟୀମାନେ ଜଳକଷ୍ଟ ଭୋଗୁଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତବର୍ଷ ଏହାକୁ ମରାମତି କାରାଯାଇଥିବା କହୁଛନ୍ତି ସ୍ଥାନୀୟ ସରପଞ୍ଚ କୁନ୍ଦରୁ ମଲିକ କିନ୍ତୁ ସ୍ଥାନୀୟ ଲୋକେ ପାଖାପାଖି ମରାମତି ହେବାର ପାଞ୍ଚ ଛଅ ଦିନ ପରଠୁ ଆଉ ଚାଲୁନାହିଁ । ବଜାରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ବର୍ଷେ ହେବ ଏହା ଖରାପ ହୋଇପଡ଼ିଛି । ଦେଖିବାକୁ ମିଳୁଛି ଯେ, ମେସିନ ଥିବା ଗୃହଟି ଏବେ କେବଳ ପୋଷ୍ଟର ମାରିବା ପାଇଁ ବ୍ୟବହାର ହେଉଛି ଏବଂ ସେଥିରେ ତାଲା ପଡ଼ିଛି । ଯେଉଁ ଟ୍ୟାପ୍‌ ଦେଇ ପାଣି ଆସିବା କଥା, ସେଠାରେ ଏବେ ଧୂଳି ଜମିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବଜାରରେ ରାସ୍ତାଘାଟରେ ଯାତାୟତ କରୁଥିବା ଲୋକେ ଟୋପେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଅର୍ଥରେ ନିର୍ମିତ ଏହି ବ୍ୟବସ୍ଥା ଥାଇ ମଧ୍ୟ କାର୍ଯ୍ୟକ୍ଷମ ନହେବା ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଓ ପଥିକମାନେ ଜୋରଦାର ଦାବି କରିଛନ୍ତି । ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଖରା ବଢ଼ିଲେ ପରିସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି । ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ନିବେଦନ କରାଯାଇଛି ।

Leave A Reply

Your email address will not be published.