ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ପରେ ବିଭିନ୍ନ ବିଭାଗର ରାଜସ୍ୱ ସଂଗ୍ରହ ଓ ପ୍ରଗତିର ସମୀକ୍ଷା କରାଯାଇଥିଲା । ସମୀକ୍ଷା ଅନୁସାରେ, ସି.ଟି. ଏବଂ ଜି.ଏସ.ଟି. ଇନଫୋର୍ସମେଣ୍ଟ ୟୁନିଟ୍ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ୪୫୬ ଲକ୍ଷ ଟଙ୍କା ବାର୍ଷିକ ଲକ୍ଷ୍ୟ ବାବଦରେ ମାର୍ଚ୍ଚ-୨୦୨୬ ପର୍ଯ୍ୟନ୍ତ ୩୩୩ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି । ମାର୍ଚ୍ଚ ମାସର ୩୮ ଲକ୍ଷ ଟଙ୍କା ଲକ୍ଷ୍ୟ ଥିଲାବେଳେ ୫୧ ଲକ୍ଷ ଟଙ୍କା ସଂଗ୍ରହ ହୋଇ ଲକ୍ଷ୍ୟ ଅତିକ୍ରମ କରାଯାଇଛି । ଏହାସହ ଆର୍.ଟି.ଓ., ନୂଆପଡା ପକ୍ଷରୁ ୧୬.୫୦ କୋଟି ଟଙ୍କା ବାର୍ଷିକ ଲକ୍ଷ୍ୟ ଥିବାବେଳେ ମାର୍ଚ୍ଚ-୨୦୨୬ ପର୍ଯ୍ୟନ୍ତ ୧୫.୯୩ କୋଟି ଟଙ୍କା ସଂଗ୍ରହ ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ୧୩.୫୯ ପ୍ରତିଶତ ବୃଦ୍ଧି ଦର୍ଶାଉଛି । ରେଜିଷ୍ଟ୍ରେସନ୍ ଓ ଷ୍ଟାମ୍ପ ଶୁଳ୍କ ସଂଗ୍ରହରେ ମଧ୍ୟ ସନ୍ତୋଷଜନକ ପ୍ରଗତି ଦେଖାଯାଇଥିବା ବେଳେ ମାସିକ ଓ ବାର୍ଷିକ ଲକ୍ଷ୍ୟ ବାବଦରେ ଉଲ୍ଲେଖନୀୟ ସଂଗ୍ରହ ହୋଇଥିବା ସମୀକ୍ଷାରେ ଉଲ୍ଲେଖ କରାଯାଇଥିଲା । ଜିଲ୍ଲାପାଳ ରାଜସ୍ୱ ସଂଗ୍ରହରେ ପଛରେ ପଡ଼ିଥିବା ବିଭାଗମାନଙ୍କୁ ଯଥୋଚିତ ରଣନୀତି ଗ୍ରହଣ କରି ଲକ୍ଷ୍ୟ ପୂରଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାସିକ ସମୀକ୍ଷାକୁ ଗୁରୁତ୍ୱ ଦେଇ ସଂଗ୍ରହ ବୃଦ୍ଧି ପାଇଁ ସମନ୍ୱୟ ଭାବେ କାର୍ଯ୍ୟ କରିବାକୁ କହିଥିଲେ । ବୈଠକରେ ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ , ଅଜିଜ ଖାନ, ବନଖଣ୍ଡ ଅଧିକାରୀ, ବନ୍ୟପ୍ରାଣୀ, ସମୀର କୁମାର ସାହୁ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ଡେପୁଟୀ ଜିଲ୍ଲାପାଳ ସୁଚିଶ୍ମିତା ମହାନ୍ତି, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ନିଜ ନିଜ ବିଭାଗର ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ସିନାପାଲି ବ୍ଲକର ସୁବାସ ଚନ୍ଦ୍ର ଦୀପଙ୍କୁ ବିଭିନ୍ନ ରାଜସ୍ୱ ବିଭାଗ କାମରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ “ରାଜସ୍ୱ ମିତ୍ର ପୁରସ୍କାର” ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
Prev Post