କୁମଝରିଆ ହାଇସ୍କୁଲରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ଶିବିର ରାଉରକେଲା ବନଖଣ୍ଡ ପକ୍ଷରୁ ଡ଼ିଏଫ୍‌ଓ ଯଶୋବନ୍ତ ସେଠିଙ୍କ ନିର୍ଦେଶ କ୍ରମେ କୁମଝରିଆ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟଜିତ ସୁତାର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଅଫିସର ସୁଦେଷ୍ଣା.ଏସ. ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିବା ସହ ଜଙ୍ଗଲ ନିଆଁ ଯୋଗୁଁ କିପରି ଉଦ୍ଭିଦ, ବନ୍ୟଜନ୍ତୁ ଓ ବିଭିନ୍ନ ପ୍ରଜାତି ପ୍ରଭାବିତ ହୁଅନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ସେ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବୀରମିତ୍ରପୁର ଫରେଷ୍ଟର କ୍ଷିତି ଭୂଷଣ ମହନ୍ତ, ସମାଜସେବୀ ଅମୂଲ୍ୟ କୁମାର ଜେନା, ୱାଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ମଂଚାସୀନ ରହି ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଜଙ୍ଗଲ ନିଆଁ ଯୋଗୁଁ ଜୈବ ବିବିଧତା ହ୍ରାସ ପାଇବା, ମୂର୍ତ୍ତିକା କ୍ଷୟ, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ଯୋଗୁଁ ମାନବ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ ବୋଲି କହିଥିଲେ । ଏଣୁ ଶୁଖିଲା ପତ୍ରରେ ନିଆଁ ନଲଗାଇବା, ଯଦି କେଉଁଠି ବନାଗ୍ନୀ ଘଟେ ତାହାକୁ ଲିଭାଇବା ଓ ବନ ବିଭାଗକୁ ସୂଚନା ଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏଥିନେଇ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ଶପଥ ପାଠ କରାଇଥିଲେ । ଏହାପରେ ସ୍କୁଲର ଛାତ୍ରୀମାନେ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ, ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ଅନ୍ୟ ଛାତ୍ରୀମାନେ ଜଙ୍ଗଲ ନଷ୍ଟ ନକରିବା ନେଇ ଏକ ସୁନ୍ଦର ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସାଗରିକା ନାୟକ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସନ୍ତୋଷିନୀ ପତିଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.