ଖପ୍ରାଖୋଲରେ କାଳବୈଶାଖୀର ତାଣ୍ଡବ : କୁଆପଥର ବର୍ଷାରେ ଭୟଙ୍କର କ୍ଷୟକ୍ଷତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଧୀନ ପଡ଼ିଆବାହାଲ, ଚଙ୍ଗରିଆ ଏବଂ ଆଖପାଖ ଅଞ୍ଚଳ ବାଙ୍କିବାହାଲ ଓ ଗମ୍ଭାରୀ ଅଞ୍ଚଳରେ ଆଜି ଦିନ ପ୍ରାୟ ୨ଟା ସମୟରେ ହଠାତ୍ କାଳବୈଶାଖୀର ପ୍ରଭାବ ଦେଖାଦେଇଥିଲା । ଅଚାନକ ଆକାଶ ଘନାନ୍ଧକାର ହୋଇ ପବନ ସହିତ ମୁସଳଧାର ବର୍ଷା ଏବଂ ପ୍ରବଳ କୁଆପଥର ବର୍ଷା ଆରମ୍ଭ ହୋଇଥିଲା । ହଠାତ୍ ପାଗ ପରିବର୍ତ୍ତନର ତୀବ୍ର ପ୍ରଭାବରେ ଲୋକମାନଙ୍କ ଜୀବନ ଓ ଜୀବିକା ଉପରେ ଭୟଙ୍କର ପ୍ରଭାବ ପଡ଼ିଛି । ଚାଷୀମାନେ କଷ୍ଟକରି ଲୋନ ଆଣି ଚାଷ କରିଥିବା ଫସଲ ଭାରି କ୍ଷତିଗ୍ରସ୍ତ ହୋଇଛି । ବହୁତ ଘରର ଖପର ଭାଙ୍ଗିଯାଇ ଘର ଭିତରେ ପାଣି ପସିଯାଇଛି, ଯାହା ଫଳରେ ଲୋକମାନେ ଦୁର୍ଦ୍ଦଶାରେ ପଡ଼ିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ବାଙ୍କିବାହାଲ ଓ ଗମ୍ଭାରୀ ଅଞ୍ଚଳରେ, ଯେଉଁଠାରେ ରାସ୍ତାଘାଟ ଓ ଚାରିପାଖ କୁଆପଥରରେ ଢାକିଯାଇଥିଲା । ସେହି ଦୃଶ୍ୟ ହିମାଚଳ ପ୍ରଦେଶର ବରଫ ପତନକୁ ସ୍ମରଣ କରାଇଥିଲା । ଏହି ଅସାଧାରଣ ଦୃଶ୍ୟକୁ ଦେଖି କେତେକ ଲୋକ ଆଶ୍ଚର୍ଯ୍ୟଚକିତ ହେବା ସହ ଖୁସି ମଧ୍ୟ ହୋଇଥିଲେ, ଯଦିଓ ଏହା ପଛରେ ଥିବା କ୍ଷୟକ୍ଷତି ଅତ୍ୟନ୍ତ ଗଭୀର । ସମଗ୍ର ଅଞ୍ଚଳରେ ଏହି କାଳବୈଶାଖୀ ଜନଜୀବନକୁ ବ୍ୟାପକ ଭାବେ ପ୍ରଭାବିତ କରିଥିବାବେଳେ, କ୍ଷତିର ସଠିକ୍ ଅନୁମାନ ଓ ପ୍ରଶାସନୀୟ ସହାୟତା ପ୍ରତି ଲୋକମାନଙ୍କ ଆଶା ।

Leave A Reply

Your email address will not be published.