ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଧାମରା ସାହିତ୍ୟ ସଂସଦର ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ବରେଣ୍ୟ ବକ୍ତା ଭାବେ ଡ. ଅଶ୍ୱିନୀ କୁମାର ରାୟ, ଡା. ଗୀତାଞ୍ଜଳି ପତ୍ରୀ, ଅଙ୍ଗୁରବାଳା ପରିଡା, ଡ.ସରୋଜିନୀ ପଟ୍ଟନାୟକ, ଡ. ଆଶୁତୋଷ ଦେବୀ ପ୍ରସାଦ ରାଉତ, ଦେବସ୍ମିତା ପଣ୍ଡା ଏବଂ ନଳିନୀ ପ୍ରଭା ଦାଶ ଯୋଗଦେଇ ସେମାନଙ୍କର ବକ୍ତବ୍ୟରେ କହିଲେ ଯେ, ସ୍ୱପ୍ନ ପ୍ରୀତି ସମ୍ଭାବନାର ଋତୁ ହେଉଛି ବସନ୍ତ, ଋତୁରାଜ ବସନ୍ତର ଆଗମନରେ ଧରା ହୁଏ ଆନମନା । ଜୀବନ ଓ ଜଗତକୁ ଚଳଚଞ୍ଚଳ ଓ ମଧୁମଗ୍ନା କରିବାରେ ସୃଷ୍ଟିର ସୃଜନଶୀଳତାର ତୂଳୀକୁ ରସାଣିତ କରିବାରେ ବସନ୍ତ ଋତୁର ଭୂମିକା ଅବର୍ଣ୍ଣନୀୟ । ବସନ୍ତର ବିରହ ବେଦନା ପ୍ରୀତିର ଅନନ୍ୟ ସ୍ୱାକ୍ଷର ଏ ଧରାରେ ଛାଡିଦେଇ ଅଭିଷିକ୍ତ ହୁଏ ଋତୁରାଜ । ଅନେକ ପୁରାତନ ଓ ନୂତନ କବିଙ୍କର ବସନ୍ତ ଆଧାରିତ କବିତାକୁ ସେମାନେ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ । ସଭାପତି ଶ୍ରୀ ବେହେରା ତାଙ୍କର ସଭାପତିତ୍ୱ ଅଭିଭାଷଣରେ କହିଲେ କବିତା ଯଦି ହୃଦୟସ୍ପର୍ଶୀ ନ ହେଲା ତାହା କଦାପି କାଳଜୟୀ ହୋଇପାରିବନି । ସାଧାରଣ ସଂପାଦକ ଭଗବାନ ରାଉତ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇ କହିଲେ ଧାମରା ସଂଘ ସାମାଜିକ କାର୍ଯ୍ୟ ସହିତ ସାହିତ୍ୟ ସଂସ୍କୃତି କାର୍ଯ୍ୟକ୍ରମ କରିବାରେ ସାରା ଓଡିଶାରେ ଏକ ଅଗ୍ରଣୀ ଅନୁଷ୍ଠାନ । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା, କବି ସୁଶାନ୍ତ କୁମାର ନାୟକ ମଂଚ ପରିଚାଳନା କରିଥିଲା ବେଳେ ନିରଂଜନ କରଣ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛଅ ଜଣ କବିଙ୍କୁ ଧାମରା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାରେ କବି ପ୍ରଣତୀ ବେହେରାଙ୍କ ସଭାପତି ଓ ସଂଯୋଜିକା ଭାବରେ ରୀନାରାଣୀ ସ୍ୱାଇଁ, ଅମ୍ରିତା ସିଂହ, ହରପ୍ରିୟା ସାମଲ, ସବିତା ପରିଡାଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ, ସଂଜୀବ ଭୋଇ, ବଳରାମ ରାଉଳ, ତ୍ରିଲୋଚନ ସ୍ୱାଇଁ, ଡ. କୃପାସିନ୍ଧୁ ନାୟକ, ଉପେନ୍ଦ୍ର ବସ୍ତିଆ, ଦିବାକର ଦାସ, ସସ୍ମିତା ପ୍ରଧାନ, ପ୍ରତାପ ପଣ୍ଡା, ମୀନକେତନ ପଶାୟତ, ଅକ୍ଷୟ କୁମାର ସାମଲ, ସୁକାନ୍ତ ମହାପାତ୍ର, ନିରୁପମା ପତି ପ୍ରମୁଖ ୪୩ ଜଣ କବି କବିତା ପାଠ କରିଥିଲେ । ସମସ୍ତ କବିଙ୍କୁ ଧାମରା ସଂଘ ତରଫରୁ ଉତ୍ତରୀୟ ଓ ସମ୍ମାନ ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ କବି ନିରୁପମା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post