ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନୂତନ ଶିକ୍ଷାବର୍ଷ ଅବସରରେ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳିତ ହୋଇଥିଲା । ନୂତନ ଶିଶୁମାନଙ୍କୁ ଚନ୍ଦନ ଟିକା ସହ ସ୍ୱାଗତ କରାଯାଇ, ତାଙ୍କ ହାତରେ ଖଡ଼ି ଧରାଇ ପ୍ରଥମ ଅକ୍ଷର ଲେଖାଇ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଖପ୍ରାଖୋଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଥିଲେ, “ଖଡ଼ି ଛୁଆଁ କେବଳ ଅକ୍ଷର ଶିଖା ନୁହେଁ, ଏହା ଜୀବନର ସଠିକ୍ ପଥରେ ପ୍ରଥମ ପଦକ୍ଷେପ ।” ମୁଖ୍ୟ ଅତିଥି ସତ୍ୟ ସୁନ୍ଦର ରାଉତରାୟ ଶିଶୁମାନଙ୍କୁ ଉତ୍ସାହିତ କରି କହିଥିଲେ, “ତୁମେମାନେ ଦେଶର ଭବିଷ୍ୟତ—ଆଜିର ଶିକ୍ଷା ଆଗାମୀ ସଫଳତାର ଦ୍ୱାର ଖୋଲିଦେବ ।” ଥାନାଧିକାରୀ ନରେନ୍ଦ୍ର ଛତର ମଧ୍ୟ କହିଥିଲେ, “ସ୍କୁଲ ତୁମର ଦ୍ୱିତୀୟ ଘର—ନିର୍ଭୟ ହୋଇ ଖୁସିରେ ଶିଖ ।” କାର୍ଯ୍ୟକ୍ରମରେ ପଦ୍ମନ ସିଂ ବରିହା, ସମିତି ସଭ୍ୟା ସୁଶୀଳା ଭୁଏ, ପ୍ରଧାନ ଶିକ୍ଷୟିତ୍ରୀ କ୍ଷୀରୋଦିନୀ ଭୁଏ, ସାମ୍ବାଦିକ ଅଶୋକ କୁମାର ବାଗ, ସିଆରସିସି ସନ୍ତୋଷ ମେହେର, ସତ୍ୟବ୍ରତ ବେହେରା ଓ ପ୍ରଦୀପ କୁମ୍ଭାର ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ମନୋରମା ନାଏକ ସଭା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ନମିତା ମଣ୍ଡଳ, ସୁରଭି ମିଶ୍ର ଓ ଶିକ୍ଷକ ରାମକୃଷ୍ଣ ମେହେରଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶେଷରେ ଶିକ୍ଷା ସଚେତନତା ରଥକୁ ଗାଁ ପରିକ୍ରମା ପାଇଁ ରବାନା କରାଯାଇଥିଲା ।