- ସଞ୍ଜୟ କୁମାର ନାୟକ
ଦିନକୁ ଦିନ ଦୁନିଆ ଯେତେ ଆଗକୁ ବଢ଼ୁଛି ସେତିକି ନୂତନ ନୂତନ ଜିନିଷ ଆବିଷ୍କାର କରୁଛି, ଯାହାକି ମଣିଷର ଜୀବନରେ ତାହାର ବ୍ୟାପକ ପରିମାଣରେ ବ୍ୟବହାର କରାଯାଉଛି । କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା, ସେହିଭଳି ଯେଉଁ ଜିନିଷର ଅତ୍ୟଧିକ ବ୍ୟବହାର କରାଯିବ ତାହାର ବି ପାରିପାର୍ଶ୍ୱିକ ପ୍ରତିକ୍ରିୟା ଅର୍ଥାତ୍ ତାହାର ପ୍ରଭାବ ବି ପଡ଼ିଥାଏ ।
ଯେମିତିକି ମୋବାଇଲ, ଆଜିକାଲି ଯୁଗରେ ନିଶ୍ୱାସ ନ ନେଇ ଜଣେ ମଣିଷ କିଛି ସମୟ ପର୍ଯ୍ୟନ୍ତ ବଞ୍ଚିଯିବ କିନ୍ତୁ ମୋବାଇଲ ବିନା ଗୋଟିଏ ମିନିଟ୍ ଚଳିବା କଷ୍ଟକର ହୋଇପଡୁଛି । ତେବେ ମୋବାଇଲର ଆବିଷ୍କାର ବହୁତ ଭଲ କାମ ପାଇଁ ହୋଇଥିଲା, ଉଦାହରଣ ସ୍ୱରୂପ ବିନା ତାରରେ ଦୂର ଦୂରାନ୍ତରେ ରହୁଥିବା ଆତ୍ମୀୟ, ସହପାଠୀ, ଚାକିରି, ବ୍ୟାପାରରେ ସହଜରେ ବାର୍ତ୍ତାଳାପ କରିବା ଭଳି ପ୍ରଥମେ କାର୍ଯ୍ୟରେ ଆସିଲା, ତାପରେ ଇଣ୍ଟରନେଟ ଯୁଗ ଆସିଲା, ଯେଉଁଥିରେ ଡାଟା ପ୍ୟାକ ପକାଇ ଭିଡିଓ କଲ୍, ସୋସିଆଲ ମିଡିଆ ଆପ ଯାହାକି ଫେସବୁକ୍, ୱାଟସଆପ, ଏକ୍ସ, ଇନଷ୍ଟାଗ୍ରାମ ଭଳି ଆପ ଦ୍ୱାରା ଆହୁରି ସୁବିଧା ତଥା ନିଜର ଅନୁଭୂତି ତଥା ମନର କଥାକୁ ପ୍ରକଟ କରିବାର ମାଧ୍ୟମ ପାଲଟିଲା । ତାପରେ ଲୋକ ଆଉ କମ୍ପ୍ୟୁଟର, ଲାପଟପର ବ୍ୟବହାର ମଧ୍ୟ କମିଗଲା କାରଣ ମୋବାଇଲ କୀପେଡରେ ସବୁ ସାଧନ ମିଳିଗଲା, ଖାସ କରି କୋଭିଡ ସମୟରେ ମୋବାଇଲ ଦ୍ୱାରା ବିଦ୍ୟାର୍ଥୀମାନେ ପାଠପଢ଼ିଲେ, ମୋବାଇଲରେ ପାଠପଢାରେ ଯାହା ଅସୁବିଧା ରହିଲା ଗୁଗଲ ଦ୍ଵାରା ଖୋଜି ସବୁ ପାଇଲେ । ଅନଲାଇନ୍ ପାଠ୍ୟକ୍ରମ ମଧ୍ୟ ମିଳିଗଲା । ଦେଖିବାକୁ ଗଲେ ଏବେ ମୋବାଇଲ ଦ୍ୱାରା ସବୁ କାର୍ଯ୍ୟ କରିହେଉଛି । ମୋବାଇଲ ଦ୍ୱାରା ଚାକିରି ଆବେଦନ, ଆଧାର କାର୍ଡ ତିଆରି, ଇନକମ୍ ସାର୍ଟିଫିକେଟ, କେରେକ୍ଟର ସାର୍ଟିଫିକେଟ, ଆୟକର ରିଟର୍ନ, ବ୍ୟାଙ୍କ କାରବାର ସମ୍ବନ୍ଧିତ ମେସେଜ, ଆପରେ ହିଁ ଟଙ୍କା ଲେନ ଦେନ୍ ଭଳି ବ୍ୟାପକ ପରିମାଣରେ ମୋବାଇଲ ବ୍ୟବହାର ହେଉଛି, ଯାହାକି ଆଜିର ଯୁଗରେ ବଡ଼ ସୁବିଧା ହାତ ମୁଠାରେ ରହୁଛି । ଏହା ହେଉଛି ମୋବାଇଲର ଉପକାରିତା ଗୁଡ଼ିକ କିନ୍ତୁ ଏହାର ଅପକାରିତା ଦେଖିବାକୁ ଗଲେ ବହୁତ କ୍ଷତି ବି ହେଉଛି ଯାହାକି ଅପୂରଣୀୟ ହୋଇଯାଉଛି ।
ଗୋଟିଏ ପଟେ ସରଳ ହେଉଛି ମଣିଷର ଜୀବନ କିନ୍ତୁ ଅନ୍ୟ ପଟେ ଯୁବପିଢ଼ି ସହ ମୋବାଇଲ ବ୍ୟବହାର କରୀଯାଉଛି । ଅବାଟରେ ଯାହାକି ଏବେ ସମାଜରେ ଚିନ୍ତାର ବିଷୟ ପାଲଟିଛି । ଯେଉଁ ମୋବାଇଲ ଦ୍ୱାରା ସହଜରେ କଥା ହୋଇପାରୁଛୁ ସେଥିରେ ଏବେ ଯୁବ ପିଢ଼ି ଲୁଚି ଲୁଚି କଥା ହେବା, ମେସେଜରେ ଚାଟ କରିବା ସହ ଭିଡିଓ କଲ କରି କଥା ହେବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ବନାଇ ଝଗଡ଼ା ଝାଟି ହେଲେ ସୋସିଆଲ ମିଡିଆରେ ସେହି ଭିଡିଓ, ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା ଯୋଗୁଁ ସହି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ପୀଡ଼ିତ। ଏହାକୁ ଅସାଧୁ ଲୋକମାନେ ବ୍ୟବହାର କରି ବ୍ଲାକ ମେଲ କରି ଟଙ୍କା ରୋଜଗାର କରିବାକୁ ବି ପଛାଉ ନାହାଁନ୍ତି । ସବୁଠୁ ଭୟଙ୍କର ରୂପ ନେଇଛି ଏହି ମୋବାଇଲ ବ୍ୟବହାର । ଦେଶଦ୍ରୋହୀମାନେ ମୋବାଇଲରେ ଭିଡିଓ ତିଆରି କରି ବିଦେଶୀଙ୍କୁ ପଠାଇବା ଯୋଗୁଁ ଦେଶର ସିକ୍ରେଟ ଲିକ୍ ବି ହେଉଛି । ଖାସକରି ଆଜିକାଲି ସବୁ କାର୍ଯ୍ୟ ମୋବାଇଲ୍ ଓ ତାହାର ଆପ ଜରିଆରେ ପାଠପଢା ଠାରୁ ଆରମ୍ଭ କରି ସାଠ ପଢ଼ା ଯାଏଁ କରାଯାଉଛି । ଏବେ ତ ମୋବାଇଲରେ ରିଲ କରିବା ନିଶାରେ ଦୁର୍ଘଟଣା ଘଟି ଜୀବନ ବି ଯାଉଛି । ଯୁବପିଢ଼ି ମୋବାଇଲ ଦ୍ୱାରା ପାଠପଢା କମ ଓ ଅନ୍ୟ ଜ୍ଞାନ ବେଶୀ ଆହରଣ କରୁଛନ୍ତି, ଭଲ ପାଇବା କଣ ବୁଝିବା ପୂର୍ବରୁ ମୋବାଇଲରେ ନ ଦେଖିବା ଜିନିଷ ଦେଖି ତାହାକୁ ଅନୁସରଣ କରିବାକୁ ପଛାଉ ନାହାନ୍ତି ଯେପରିକି ପ୍ରେମ କରିବା, ଷଷ୍ଠ ଶ୍ରେଣୀରୁ ଭଲ ପାଇବା ଆରମ୍ଭ ହୋଇଯାଉଛି । ଭଲ ପାଇବା କଣ ନ ବୁଝି ଭଲ ପାଇବା, ଭିଡିଓ କଲରେ କଥା ହେବା, ୱାଟସଏପରେ ସଦାବେଳେ ଚାଟିଙ୍ଗ କରିବା, ନେଟ ନ ହେଲେ ଟେକ୍ସଟ ମେସେଜ ଦ୍ୱାରା କଥା ହେବା ଯୋଗୁଁ ସେମାନେ ଆଉ ନିଜ ନିୟନ୍ତ୍ରଣରେ ରହୁ ନାହାନ୍ତି । ମୋବାଇଲର ବ୍ୟାପକ ବ୍ୟବହାର ଦ୍ଵାରା ଏବେ ମାନସିକ ସ୍ଥିତି ବି ଠିକ ରହୁ ନ ଥିବା, ଚିଡଚିଡା ପଣ, ଟିକିଏ କଥାରେ ରାଗିବା, ଫିଙ୍ଗା ଫୋପଡ଼ା କରିବା ଭଳି ଘଟଣା ମାନ ଦେଖିବାକୁ ମିଳୁଛି । ଯଦି ମୋବାଇଲ ଏମାନଙ୍କ ଠାରୁ ଛଡ଼ାଇ ନିଆଯାଏ ତାହେଲେ କିଏ ମରିଗଲା ଭଳି କାନ୍ଦିବା, ଖାଦ୍ୟ ନ ଖାଇବା, ଗୁମ୍ ମାରି ବସି ରହିବା, କବାଟ ବନ୍ଦ କରି ଏକୁଟିଆ ରହିବା, କାହା ସଙ୍ଗେ କଥାବାର୍ତ୍ତା ନ ହେବା ଭଳି ବ୍ୟବହାର ଦେଖିବାକୁ ମିଳିଥାଏ । ଫଳ ସ୍ୱରୂପ ପିତାମାତା ଡରରେ ମୋବାଇଲ ଦେଇ ଦିଅନ୍ତି । ଏମିତିବି କିଛି ଘଟଣା ଘଟିଛି ଯେଉଁଥିରେ ପିତାମାତା ଝିଅର ହେଉ କି ପୁଅ ଭଲ ପାଇବା ବିଷୟରେ ଅବଗତ ହେବା ପରେ ମୋବାଇଲ ଛଡାଇ ନେବା ଓ ମୋବାଇଲ ନ ଦେବା ଯୋଗୁଁ ଆତ୍ମହତ୍ୟା କରିବାକୁ ବି ପଛାଉ ନାହାନ୍ତି । ତାହେଲେ ଏହା କେଉଁ ଆଡ଼କୁ ଗତି କରୁଛି ଆପଣ ମାନେ କୁହନ୍ତୁ ?
ତେବେ ବହୁଳ ମାତ୍ରାରେ ମୋବାଇଲ ବ୍ୟବହାର ଯୋଗୁଁ ଏବେ ଜନ୍ମ କଲା ଛୁଆ ଠାରୁ ବଡ ଲୋକ ସମସ୍ତେ ଅଭ୍ୟସ୍ତ ହୋଇଗଲେଣି। ତେବେ ସରକାର ତଥା ଅଭିଭାବକମାନେ ଏ ଦିଗରେ ବିଚାର କରନ୍ତୁ ଯେ କଣ କଲେ ଏହାର ପ୍ରଭାବକୁ ରୋକା ଯାଇପାରିବ । ତାହାର ବିକଳ୍ପ ବ୍ୟବସ୍ଥା ଚିନ୍ତା ନ କଲେ ପ୍ରତ୍ୟେକ ଘରୁ ଏ ରୋଗରେ ଆକ୍ରାନ୍ତ ହେବା ମଣିଷ ମିଳିବେ, ମୋବାଇଲକୁ ଖାସ କରି କିପରି ରୋକା ଯାଇପାରିବ ସେ ଦିଗରେ ବୈଜ୍ଞାନିକମାନଙ୍କୁ ରିସର୍ଚ୍ଚ କରିବାକୁ ପଡିବ । ଜଣେ ବୁଦ୍ଧିଜୀବୀଙ୍କ କହିବାନୁଯାୟୀ ବିଦ୍ୟାର୍ଥୀମାନଙ୍କୁ ଏମିତି ଏକ ମୋବାଇଲ ଦିଆଯାଉ ଯାହାକି ସିସିଟିଭି ଭଳିଆ ରେକର୍ଡ ହୋଇରହିବ, କଥା ଠାରୁ ଆରମ୍ଭ କରି ମେସେଜ ଯାଏଁ ସବୁ ରେକର୍ଡ ହୋଇ ରହିବ, ଯଦ୍ୱାରା କିଏ କଣ କରୁଛି ଦୈନନ୍ଦିନ ରେକର୍ଡ ହୋଇ ରହିବ ଯାହାକି ଅଭିଭାବକଙ୍କ ନାଁ ରେ ସିମ୍ ଓ ମୋବାଇଲ ରହିବ, ଯଦ୍ୱାରା ସବୁ ତଥ୍ୟ ପିତାମାତାଙ୍କ ପାଖରେ ରହିବ ଏବଂ ଡିଲିଟ କେବଳ ପିତାମାତା ହିଁ କରିପାରିବେ, ତାହେଲେ ବହୁ ମାତ୍ରାରେ ନିୟନ୍ତ୍ରଣ କରି ହୁଅନ୍ତା ବୋଲି ମତ ପ୍ରକାଶ କରିଛନ୍ତି । ତେବେ ଅଭିଭାବକମାନଙ୍କୁ ଏହି ଲେଖା ମାଧ୍ୟମରେ ଅନୁରୋଧ କରାଯାଉଛି ଯେ ପ୍ରତ୍ୟେକ ଦିନ ନିଜର ଛୁଆଙ୍କୁ କାର୍ଯ୍ୟକଳାପକୁ ନଜରରେ ରଖନ୍ତୁ, ମୋବାଇଲ ବିନା ତାଙ୍କ ସହ ବେଶୀ ସମୟ ଅତିବାହିତ କରନ୍ତୁ, ଘରେ ବେଶୀ ସମୟ ତାଙ୍କ ସହ ବିତାନ୍ତୁ, ପାଠପଢା ସହ ତାଙ୍କର ଅସୁବିଧା, ମନରେ କଣ ଚାଲୁଛି, ତାଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ଚାପ ମୁକ୍ତ ଜୀବନ ବଞ୍ଚିବାକୁ ପରାମର୍ଶ ଦିଅନ୍ତୁ । ଏ ଦିଗରେ ସମସ୍ତ ଅଭିଭାବକମାନଙ୍କୁ ଚିନ୍ତା କରିବାର ସମୟ ଆସିଛି ।
ଯୁବ ସାମ୍ବାଦିକ
ଟିଟିଲାଗଡ