ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ତରଫରୁ ଅଷ୍ଟମ ବାର୍ଷିକୋତ୍ସବ ଓ ୯୧ତମ ଉତ୍କଳ ଦିବସ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରା ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରସୁଆଁ ଲୌହଖଣିର ମାନବସମ୍ବଳ ବିଭାଗର ମହାପ୍ରବନ୍ଧକ ମୁକେଶ କିଶୋର କରଣ ଉଦଘାଟକ, ବିଦ୍ୟୁତ ବିଭାଗର ମହାପ୍ରବନ୍ଧକ ଉତ୍କର୍ଷ ଗୌରବ ମୁଖ୍ୟଅତିଥି, ରାଉରକେଲା କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟବକ୍ତା, ସମାଜସେବୀ ଡ. ରାଜେନ୍ଦ୍ର ପ୍ରସାଦ ପଣ୍ଡା ସମ୍ମାନିତ ବକ୍ତା ଓ ସ୍ୱତନ୍ତ୍ର ଅତିଥି ତଥା ମଞ୍ଚ ସଂଯୋଜକ ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥି ଓ ବକ୍ତାମାନେ ଏଭଳି ଉପାନ୍ତ ଅଞ୍ଚଳରେ ପ୍ରଗତି ଅନୁଷ୍ଠାନ ଅଷ୍ଟମ ବାର୍ଷିକୋତ୍ସବ ତଥା ଉତ୍କଳ ଦିବସ ପାଳନ କରୁଥିବାରୁ ସାଧୁବାଦ ଦେବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ସେହିପରି ୯୧ତମ ଉତ୍କଳ ଦିବସ ଉପଲକ୍ଷେ ମହାମନିଷୀଙ୍କ ଅବଦାନ, ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓ ଆମ ସମ୍ମୁଖରେ ଥିବା ଆହ୍ୱାନ, ଓଡ଼ିଆ ଭାଷାର ସରକାରୀ ଓ ବେସରକାରୀ ସ୍ତରରେ ବ୍ୟବହାର, ବ୍ୟବସାୟ ଓ ବିଭିନ୍ନ ଅନୁଷ୍ଠାନରେ ନାମଫଳକ ଗୁଡ଼ିକରେ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ବେହେରା ସ୍ୱାଗତ ଭାଷଣ ଓ ସମ୍ପାଦକ ଶ୍ରୀ ନାୟକ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥିମାନେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସ ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଉରକେଲା, ବରସୁଆଁ ସରସ୍ଵତୀ ଶିଶୁ ମନ୍ଦିର, ବିଏଚ୍ ମିଶନ ସ୍କୁଲ, ସେଲ୍ ଇସ୍ପାତ ହାଇସ୍କୁଲର ଛାତ୍ରୀମାନେ ଗଣେଶ ବନ୍ଦନା ସହ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ ଅତିଥି, ନୃତ୍ୟଗୁରୁ ରଶ୍ମିତା ଜେନା, ସାମ୍ବାଦିକ ବିପ୍ଳବ ରଞ୍ଜନ ଦାଶ ତଥା ବହୁ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିକ୍ରମ ସିଂହ, ପ୍ରଫୁଲ୍ଲ ପ୍ରଧାନ, ସନ୍ତୋଷ ପାତ୍ର, ଅଭୟ ସ୍ୱାଇଁ, ଚିତ୍ରସେନ ସାହୁ, ଅଭିରାମ କଣ୍ଡୁଲନା, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ଦାୟିତ୍ଵରେ ଥିବା ଫୁଲେଶ୍ୱରୀ ପାତ୍ର ତଥା ସମସ୍ତ ଗୁରୁଜୀ ଗୁରମା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ ।