ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ କେନାଲରୁ ବିନା ସୂଚନାରେ ସେଚନ ବନ୍ଦ

  • ଆଶଙ୍କାରେ ଚାଷୀ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ କେନାଲରୁ ଗତ ଜାନୁଆରୀ ସାତ ତାରିଖରୁ ରବି ଜଳ ସେଚନ ଆରମ୍ଭ ହୋଇଥିବା ବେଳେ ଗତ ରବିବାର ଦିନ ଚାଷୀଙ୍କୁ କୌଣସି ସୂଚନା ନ ଦେଇ ସେଚନକୁ ବନ୍ଦ କରାଯାଇ ଥିବାରୁ ଚାଷୀଙ୍କ ମଧ୍ୟରେ ଆଶଙ୍କା ବଢିବାରେ ଲାଗିଛି । ବିଗତ ୨୪ଘଣ୍ଟା ଧରି ଜଳ ସେଚନ ବନ୍ଦ ରହିବା ପରେ ଆଜି ଅପରାହ୍ନରେ ପୁଣି ଥରେ ଜଳସେଚନକୁ ସ୍ଵାଭାବିକ କରାଯାଇଥିବା ଦେଖିବାକୁ ମିଳିଛି । ଏ ସଂକ୍ରାନ୍ତରେ ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ ଏକ ଜରୁରୀ କାଳୀନ ପରିଚାଳନା ହେତୁ ମଙ୍ଗଳପୁର ସ୍ଥିତ ପମ୍ପ ହାଉସରୁ ଜଳସେଚନ ବନ୍ଦ ରଖାଯାଇଥିଲା ଏବେ ତାହା ସ୍ଵାଭାବିକ ହୋଇ ସାରିଛି ବୋଲି ପ୍ରକାଶ କରିଥଲେ । କଳାହାଣ୍ଡି ଜିଲ୍ଲାର ଜଳ ସେଚନ ପରିଧି ମଧ୍ୟରେ ଆସୁଥିବା ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ଅଣ ଜଳସେଚିତ ଅଞ୍ଚଳର ୨୬୦୦୦ହେକ୍ଟର ଜମିରେ ଜଳ ସେଚିତ କରିବା ପାଇଁ ୭୫୬କୋଟି ଟଙ୍କା ବ୍ୟୟ ଅଟକଳରେ ଏଲ୍ ଆଣ୍ଡ ଟି କମ୍ପାନୀକୁ କାର୍ଯ୍ୟ ସମ୍ପାଦନ ପାଇଁ କ।ର୍ଯ୍ୟନ୍ୟସ୍ତ କରାଯାଇଥିଲା । ତତ୍ କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଜାନୁଆରୀ ୧୪ ତାରିଖରେ ଏହି ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଥଲେ । ପ୍ରକଳ୍ପର ପରିଚାଳନା ଦାୟିତ୍ଵ ମଧ୍ୟ ପାଞ୍ଚ ବର୍ଷ ପାଇଁ ଏଲ୍‌ ଏଣ୍ଡ ଟି ହାତରେ ନ୍ୟସ୍ତ ରହିଥିଲା । ଏବେ ଅବଧି ପୂରଣ ହୋଇଥିବା ଦୃଷ୍ଟିରୁ ପରିଚାଳନା ଦାୟିତ୍ଵ ସମ୍ପୂର୍ଣ୍ଣ ଭାବର ସଂପୃକ୍ତ ଉଠା ଜଳ ସେଚନ ବିଭାଗ ସମ୍ପାଦନ କରିବ ବୋଲି ସୂଚନା ମିଳିଛି । ସଂପୃକ୍ତ କେନାଲ ଅଣ ଜଳ ସେଚିତ ଅଞ୍ଚଳ ପାଇଁ ଜୀବନ ରେଖା ପାଲଟି ଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ପ୍ରତି ବିଭାଗ ସଚେତନ ରହିବା ପାଇଁ ସଂପୃକ୍ତ ଅଞ୍ଚଳର ଚାଷୀମାନେ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.