ହାତୀବନ୍ଧା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ : ଜଳିଗଲା କମ୍ପ୍ୟୁଟର ଓ ଛାତ୍ରଛାତ୍ରୀଙ୍କ କାଗଜପତ୍ର

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଅଞ୍ଚଳର ଗୋକୁଳାନନ୍ଦ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟାଳୟ କକ୍ଷରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ପାଲଟିଛି । ରାତି ପ୍ରାୟ ୧ଟା ସମୟରେ ସଟସର୍କିଟ୍ ହେବାରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେ ସମୟରେ ଅଧ୍ୟାପକ ସୁରେନ୍ଦ୍ରନାଥ ମହାନ୍ତି କଲେଜ ପ୍ରାଙ୍ଗଣରେ ଶୋଇଥିଲେ । ନିଆଁ ବଢ଼ୁଥିବା ଦେଖି ତାଙ୍କ ନିଦ ଭାଙ୍ଗିଯାଇଥିଲା ଏବଂ ସେ ତୁରନ୍ତ ଅନ୍ୟମାନଙ୍କୁ ଫୋନ୍ କରି ସହାୟତା ପାଇଁ ଡାକିଥିଲେ । ସ୍ଥାନୀୟ ଲୋକମାନଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ କାହାରି ଜୀବନ ହାନି ଘଟି ନଥିବା ଜଣାପଡ଼ିଛି । କିନ୍ତୁ ଅଗ୍ନିକାଣ୍ଡରେ ଦୁଇଟି କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର ସହ ଛାତ୍ରଛାତ୍ରୀଙ୍କ ଅନେକ ଦରକାରୀ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ଏହା କେବଳ ସାମଗ୍ରୀକ କ୍ଷତି ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତ ସହ ଜଡିତ ଗୁରୁତର ସମସ୍ୟା ଭାବେ ଦେଖାଯାଉଛି । ସ୍ଥାନୀୟ ମହଲରେ ପ୍ରଶ୍ନ ଉଠୁଛି ଯେ, ଅନେକ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ପୁରୁଣା ଓ ଅପର୍ଯ୍ୟାପ୍ତ ଥିବା ସତ୍ତ୍ୱେ ନିୟମିତ ଯାଞ୍ଚ କାହିଁକି ହୁଏନି । ଫାୟାର ସେଫ୍ଟି ଉପକରଣ ଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ କି ନୁହେଁ, ତାହାର ପରୀକ୍ଷା ହେଉନଥିବା ଅଭିଯୋଗ ମଧ୍ୟ ଉଠିଛି । ଯଦି ଏହି ଅଗ୍ନିକାଣ୍ଡ ଦିନବେଳେ ଘଟିଥାନ୍ତା, ତେବେ ପରିସ୍ଥିତି ଅଧିକ ଭୟାବହ ହୋଇଥାଆନ୍ତା ବୋଲି ମତ ପ୍ରକାଶ ପାଉଛି । ଘଟଣାଟି ଶିକ୍ଷା ସଂସ୍ଥାନଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ କେବଳ କାଗଜରେ ନୁହେଁ, ପ୍ରୟୋଗରେ ମଧ୍ୟ କଡାକଡି ଭାବେ ଲାଗୁ କରିବାର ଆବଶ୍ୟକତାକୁ ଉଜାଗର କରିଛି । ବିଶେଷଜ୍ଞମାନଙ୍କ ମତାନୁସାରେ ବିଦ୍ୟୁତ ଲାଇନର ନିୟମିତ ଯାଞ୍ଚ, କାର୍ଯ୍ୟକ୍ଷମ ଫାୟାର ସେଫ୍ଟି ଉପକରଣ ସ୍ଥାପନ ଓ ଆପତ କାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ପ୍ରଶିକ୍ଷଣ ଦେବା ନିତାନ୍ତ ଆବଶ୍ୟକ । ସେହିପରି ଛାତ୍ରଛାତ୍ରୀଙ୍କ ଦରକାରୀ ରେକର୍ଡଗୁଡ଼ିକୁ ଡିଜିଟାଲ ଭାବେ ସଂରକ୍ଷଣ କରାଯିବା ଉପରେ ମଧ୍ୟ ଜୋର ଦିଆଯାଉଛି । ଏହି ଘଟଣାକୁ କେବଳ ଏକ ଦୁର୍ଘଟଣା ଭାବେ ଗ୍ରହଣ ନକରି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ସଚେତନତାମୂଳକ ଓ ପ୍ରତିରୋଧମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋରଦାର ହେଉଛି ।

Leave A Reply

Your email address will not be published.