
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଦକ୍ଷିଣ ରାଉରକେଲାର ଫାୟର ଫାଇଟିଙ୍ଗ କଲୋନୀର ବିଦ୍ୟୁତ ସଂଯୋଗକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଗତ ୧୮ ଦିନ ତଳେ ହଠାତ ବିଛିନ୍ନ କରିଦେଇଥିଲେ । ଫଳରେ କଲୋନୀରେ ରହୁଥିବା ଶତାଧିକ ପରିବାର ଅନ୍ଧାରରେ ରହୁଥିଲେ । କେବଳ ସେତିକି ନୁହେଁ ଦୁଇଦିନିଆ ତଳେ ପିଲାମାନଙ୍କର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କଲୋନୀବାସୀଙ୍କ ପ୍ରତି ଆରଏସପି କର୍ତ୍ତୃପକ୍ଷଙ୍କ ଏପରି ଆଚରଣ ନିଶ୍ଚିତ ଚିନ୍ତାଜନକ ଥିଲା । ଏସମ୍ବନ୍ଧରେ ଖବରପାଇ ବିଧାନସଭା ଅଧିବେଶନ ପାଇଁ ଭୁବନେଶ୍ୱରରେ ଥିବା ବିଧାୟକ ଶ୍ରୀ ତନ୍ତୀ ତୁରନ୍ତ ଫୋନ ଯୋଗେ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଟ ତଥା ବିଭାଗୀୟ ଅଧିକାରୀ ମାନଙ୍କ ସହ କଥାବାର୍ତ୍ତା କରି ତୁରନ୍ତ ଫାୟର ଫାଇଟିଙ୍ଗ କଲୋନୀକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଆରଏସପି କର୍ତ୍ତୃପକ୍ଷ ଫାୟର ଫାଇଟିଙ୍ଗ କଲୋନୀକୁ ବିଦ୍ୟୁତ ସଂଯୋଗ ଦେଇଥିଲେ । ଯାହାଫଳରେ ଗତ ୧୮/୨୦ ଦିନ ଧରି ଅନ୍ଧାରରେ ଥିବା ଫାୟର ଫାଇଟିଙ୍ଗ କଲୋନୀ ବାସୀ ବିଦ୍ୟୁତ ଆଲୋକ ଦେଖିଥିଲେ । ଦିନକ ପାଇଁ ଉକ୍ତ ଅଞ୍ଚଳ ଗସ୍ତରେ ଆସିଥିବାବେଳେ ଗତକାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଫାୟର ଫାଇଟିଙ୍ଗ କଲୋନୀ ଗସ୍ତ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ଦୁର୍ଗାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।