ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆୟୋଜିତ ଆନ୍ତର୍ଜାତିକ ନାଟକ ମହୋତ୍ସବ ଭାରଙ୍ଗମ ୨୦୨୬ର ଉଦଯାପନୀ ସନ୍ଧ୍ୟାରେ ‘ଶ୍ରୁତି’ ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନଏସଡି ତରଫରୁ ରାଉରକେଲାର ପ୍ରମୁଖ ନାଟ୍ୟାନୁଷ୍ଠାନ ସଂପର୍କର ପ୍ରତିଷ୍ଠାତା ବିଶିଷ୍ଟ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ଓଡ଼ିଆ ଶିଶୁନାଟକ (ଇଂରାଜୀ ଅନୁବାଦିତ) ସିକ୍ସ ସିଜିନ୍ସ ମହାସମାରୋହରେ ଏନଏସଡିର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀ ତ୍ରିପାଠୀ ଏନଏସଡି ତରଫରୁ ନାଟ୍ୟକାର ଶ୍ରୀ ମହାପାତ୍ରଙ୍କୁ ସମ୍ମାନିତ କରି କହିଥିଲେ, ଏନଏସଡି ଆୟୋଜିତ ଭାରତୀୟ ରଂଗ ମହୋତ୍ସବର ୨୫ ବର୍ଷ ଇତିହାସରେ ଏନ୍‌ଏସ୍‌ଡି ଦ୍ୱାରା ଉନ୍ମୋଚିତ ଏହା ହେଉଛି ପ୍ରଥମ ଓଡ଼ିଆ ନାଟକ । ଉତ୍ସବରେ ନାଟକର ସମାଲୋଚକ ଭାବେ ଯୋଗ ଦେଇ ଥିବା ବିଶିଷ୍ଟ ଲେଖକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ଅବସର ପ୍ରାପ୍ତ ଅଧିକାରୀ ଡ. ଅଶୋକ ଚୌଧୁରୀ ଓ ବିଶିଷ୍ଟ ସାହିତ୍ୟିକ ତଥା ଗୋଆ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଡ. ଚାରୁଦତ୍ତ ପାଣିଗ୍ରାହୀ ଏହି ନାଟକ ସଂକଳନରେ ଥିବା ଛଅଟି ନାଟକ, ବ୍ରୋକନ ଟ୍ରଫି, ଦି ଗୋଟେ, ସ୍ଲିପେରୀ ପାଥ୍, ଚିଲଡ୍ରେନ ଡେ, ଦି ପପେଟ ଏବଂ ଦି ରିଅଲ ଚାଇଲ୍ଡ ଉପରେ ବିଶଦ ଆଲୋଚନା କରି କହିଲେ ଯେ, ଛଅଟି ଋତୁ ଯେପରି ଆମ ମନ ଓ ଶରୀରରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ ଠିକ ସେହି ପରି କୈଶୋର ଅବସ୍ଥାରେ ପିଲାମାନଙ୍କ ମନ ଓ ଶରୀରକୁ ପ୍ରଭାବିତ କରୁଥିବା ଭିନ୍ନ ଭିନ୍ନ ମାନସିକ ଅବସ୍ଥାକୁ ଆଧାର କରି ରଚିତ ନାଟକ ଗୁଡିକ ନିଶ୍ଚିତ ଚଞ୍ଚଳ ମନା ପିଲାମାନଙ୍କୁ ସତ୍ ପଥଗାମୀ କରାଇବ ଏଥିରେ ସନ୍ଦେହ ନାହିଁ । ଏନଏସଡିର ସମାଜ ସଂପର୍କ ଅଧିକାରୀ ତଥା ପ୍ରକାଶନ ମୁଖ୍ୟ ଡ. ପ୍ରକାଶ ଝା ମଂଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.