ମାତୃଭାଷାର ପ୍ରଚାର ଓ ପ୍ରସାର ଦିଗରେ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ

  • ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ମାୟାଧର ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତେ ନିଜ ନିଜର ମାତୃଭାଷାକୁ ଭଲ ପାଇବା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଅନ୍ୟତମ ଅତିଥିଭାବେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ ଯୋଗଦେଇ ମା’ ଭଳି ମାତୃଭାଷାକୁ ଭଲ ପାଇବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଓଡ଼ିଆ ବିଭାଗର ଅଧ୍ୟାପକ ଶୁଭନାଥ ସା ଓ ହିନ୍ଦି ବିଭାଗର ମୁଖ୍ୟ ନମିତା ସ୍ୱାଇଁ ଯୋଗଦେଇ ମାତୃଭାଷା ଦିବସ ପାଳନର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ସୁଷମା ମୋଦି ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ ସହିତ ନିଜର ମାତୃଭାଷାର ପ୍ରଚାର ଓ ପ୍ରସାର ଦିଗରେ ବିଶେଷ କରି ଓଡ଼ିଆ ଭାଷାର ବ୍ୟବହାର ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଗୌରାଙ୍ଗ ଚରଣ ମହାପାତ୍ର, ଡ. ମାନସ କୁମାର ବେହେରା ଓ ମହେନ୍ଦ୍ର ମିଶ୍ର ପ୍ରମୁଖଙ୍କ ସମେତ ଛାତ୍ର ସୌମ୍ୟ ରଞ୍ଜନ ମହାନ୍ତି, ଶୁଭମ ବରୁଆ ଏବଂ ଛାତ୍ରୀ ମାନସୀ ମାଇତି ପ୍ରମୁଖ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ବିଭାଗର ଅଧ୍ୟାପିକା ରଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ଓଡ଼ିଆ ବିଭାଗର ଅଧ୍ୟାପକ ଡ. ମାନସ ମୁଖାର୍ଜୀ, ଅଧ୍ୟାପିକା ସୁଚିସ୍ମିତା ମଢ଼ୁଆଳ, ପ୍ରିୟଙ୍କା କଂସାରୀ ପ୍ରମୁଖଙ୍କ ସମେତ ବିଭାଗୀୟ ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.