ଋଷିକୁଲ୍ୟା ରୋକେରୀକୁ ଜୈବ ବିବିଧତା ଐତିହ୍ୟ ସ୍ଥଳ ଭାବେ ଘୋଷଣା ପାଇଁ ଵି. ଏମ. ସି.ର ପ୍ରସ୍ତାବ

ଗଞ୍ଜାମ : (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲରେ ଓଡିଶା ଜୈବ ବିବିଧତା ବୋର୍ଡ ଦ୍ୱାରା ଗଞ୍ଜାମ ଜିଲ୍ଲାର ୮ଟି ଜୈବ ବିବିଧତା ପରିଚାଳନା ସମିତିର ସଦସ୍ୟମାନଙ୍କୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଏକ ଦିବସୀୟ ବୈଠକରେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଓଡିଶା ଜୈବ ବିବିଧତା ବୋର୍ଡରୁ ବନ ଖଣ୍ଡ ଅଧିକାରୀ ଶିଶିର କୁମାର ମିଶ୍ର ଓ ଡକ୍ଟର ସତ୍ୟ ରଞ୍ଜନ ବେହେରା ପ୍ରାଣୀ ବିଜ୍ଞାନୀ ଉପସ୍ଥିତ ରହିଥିଲେ । ମୁଖ୍ୟଵକ୍ତା ଭାବେ ପ୍ରାଣୀ ବିଶେଷଜ୍ଞ ଡକ୍ଟର ଶିବ ପ୍ରସାଦ ପରିଡା ଓ ଉଦ୍ଭିଦ ବିଜ୍ଞାନୀ ଡକ୍ଟର ପ୍ରସନ୍ନ ନାୟକ ଗଞ୍ଜାମ ଓ ଓଡିଶାର ଜୈବ ବିବିଧତା ବିଷୟରେ ନିଜ ନିଜର ଅବିଭାଷଣ ପ୍ରଦାନ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ । ଡକ୍ଟର ସତ୍ୟ ରଞ୍ଜନ ବେହେରା ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ଅଞ୍ଚଳକୁ ଜୈବ ବିବିଧତା ଓ ଐତିହ୍ୟ ସ୍ଥଳ ପାଳିବନ୍ଧ, ରାମଗଡ଼ ପଞ୍ଚାୟତ ଅଞ୍ଚଳ ଜୈବ ବିବିଧତା ପରିଚାଳନା ସମିତିର ଆବେଦନ ବିଷୟରେ ସଭାରେ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ । ଓଡିଶାର ଜୈବ ବିବିଧତା ଐତିହ୍ୟ ସ୍ଥଳ କଣ, ଏହାର ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣତା ଓ ଆବଶ୍ୟକ ସମ୍ପର୍କରେ ସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଋଷିକୁଲ୍ୟାର ଐତିହାସିକ, ସାଂସ୍କୃତିକ ଓ ପାରମ୍ପାରିକ ଜ୍ଞାନ ଏବଂ ବିଭିନ୍ନ ଜୈବ ବିବିଧତାର ସମାହାର ବିଷୟରେ ଆଲୋଚନା କରିଥିଲେ । ଋଷିକୁଲ୍ୟା ରୋକେରୀ ଏକ ବିଶ୍ୱ ପ୍ରସିଦ୍ଧ ଅଲିଭ ରିଡଲେ ଗଣ ଅଣ୍ଡାଦାନ କେନ୍ଦ୍ର ବୋଲି ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସ୍ଥଳକୁ ସ୍ଥାନୀୟ ସମ୍ପ୍ରଦାୟ ଦ୍ୱାରା କେମିତି ଅଧିକ ସଂରକ୍ଷଣ କରିହେବ ସେ ସମ୍ଭନ୍ଧରେ ଆଲୋଚନା କରିହେବ । ଏହି ସ୍ଥଳ ୭୩୭ ହେକ୍ଟର, ବଟେଶ୍ଵର ପୀଠ ଠାରୁ ପୋତାଗଡ଼ ଦୁର୍ଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହା ମଧ୍ୟରେ ପ୍ରୟାଗି ର ପି.ଆର.ଏଫ ଜଙ୍ଗଲ, ଝାଉଁ ଜଙ୍ଗଲ ମଧ୍ୟ ମିଶି ଯାଉଛି । ଏହାର ସଂରକ୍ଷଣ, ସୁରକ୍ଷା ଆମର ଦାୟିତ୍ୱ ବୋଲି ଜୈବ ବିବିଧତା ପରିଚାଳନା ସମିତିର ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ଏହି ସମ୍ପର୍କରେ କୌଣସି ବ୍ୟକ୍ତିଙ୍କର କିଛି ଅଭିଯୋଗ ରହିଥିଲେ ସରକାରଙ୍କୁ ପତ୍ର ଲେଖି ଅବଗତ କରିବେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.