ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଗଣ୍ୟ ସ୍ୱାଧୀନତା ସେନାନୀ, ଆଦର୍ଶ ଶିକ୍ଷକ, ସମାଜ ସଂସ୍କାରକ, ସାହିତ୍ୟିକ ଓ କବି ଆଚାର୍ଯ୍ୟ ହରିହର ଦାଶଙ୍କ ପ୍ରତିମୂର୍ତ୍ତି ଛେଣ୍ଡ ଅଞ୍ଚଳର ଚିନ୍ମୟ ବିଦ୍ୟାଳୟ (ଇ ଏମ୍) ସମୀପସ୍ଥ ଆଚାର୍ଯ୍ୟ ହରିହର ଛକରେ ଭବ୍ୟ ଉତ୍ସବ ମାଧ୍ୟମରେ ଉନ୍ମୋଚନ କରାଯାଇଛି । ଏହି ଅବସର ଅଞ୍ଚଳବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଛି । ଏହି ଅବସରରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଉଦଘାଟକ ଭାବେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଉରକେଲା ମହାନଗର ନିଗମର କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ରୋଟାରି ଇଣ୍ଟରନ୍ୟାସନାଲର ପୂର୍ବତନ ଡିଜି ରୋଟେରିୟାନ ମଞ୍ଜିତ ସିଂହ ଅରୋରା, ରୋଟାରି କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଅଧ୍ୟକ୍ଷା ଡା. (ପ୍ରଫେସର) ମିନତୀ ପଣ୍ଡା, ଚିନ୍ମୟ ବିଦ୍ୟାଳୟ (ଇଏମ୍)ର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ, ଅଧିବକ୍ତା ସୁଜୟ ପାଣି ଓ ପୂର୍ବତନ ଆରଏମସି ଅଧ୍ୟକ୍ଷା ରଶ୍ମି ବାଳା ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟି ଆଚାର୍ଯ୍ୟ ହରିହର ପ୍ରତିମୂର୍ତ୍ତି ସ୍ଥାପନ ସମିତିର ଅଧ୍ୟକ୍ଷ ତଥା ରୋଟେରିୟାନ ଇଞ୍ଜିନିୟର ଅଜିତ ମୋହନ ପୂଜାରୀଙ୍କ ସୂଚାରୁ ପରିଚାଳନାରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ସମାଜସେବୀ ଜୟନ୍ତ କୁମାର ମିଶ୍ର ଓ ହରିହର ଶତପଥୀଙ୍କ ଅବଦାନକୁ ସମସ୍ତେ ପ୍ରଶଂସା କରିଥିଲେ । ଅତିଥିମାନେ ତାଙ୍କର ଉଦବୋଧନରେ ଆଚାର୍ଯ୍ୟ ହରିହର ଦାଶଙ୍କ ଅସାଧାରଣ ଜୀବନ ଦୃଷ୍ଟିକୋଣ, ସମାଜ ପ୍ରତି ତାଙ୍କର ନିଷ୍କାମ ସେବା ଓ ତ୍ୟାଗକୁ ସ୍ମରଣ କରିଥିଲେ । ତାଙ୍କର ଆଦର୍ଶ ଓ ମୂଲ୍ୟବୋଧ ଆଜିର ଯୁବପିଢ଼ୀକୁ ସତ୍ୟ, ନିଷ୍ଠା ଓ ସେବାର ପଥରେ ଅଗ୍ରସର କରିବ ବୋଲି ମତ ପ୍ରକାଶ ପାଇଥିଲା । “ଭଲ ମଣିଷ ହୁଅ” ତାଙ୍କର ସରଳ କିନ୍ତୁ ଗଭୀର ସନ୍ଦେଶ ଆଜି ମଧ୍ୟ ସମାଜ ପାଇଁ ଦୀପ୍ତିମାନ ଦିଗଦର୍ଶକ ବୋଲି ବକ୍ତାମାନେ କହିଥିଲେ । ରୋଟେରିୟାନ ମଞ୍ଜିତ ସିଂହ ଅରୋରା ତାଙ୍କ ଉଦବୋଧନରେ ରୋଟାରି ଇଣ୍ଟରନ୍ୟାସନାଲର ଉଦ୍ଦେଶ୍ୟ, ସେବା ଧାରଣା ଓ ବର୍ତ୍ତମାନ ବର୍ଷର ଥିମ୍ “UNITE FOR GOOD” ବିଷୟରେ ବ୍ୟାଖ୍ୟା କରିଥିଲେ । ଡା. ମିନତୀ ପଣ୍ଡା ଆଚାର୍ଯ୍ୟ ହରିହରଙ୍କ ଜୀବନର ଉତ୍କୃଷ୍ଟ ଗୁଣ, ସମାଜ ପାଇଁ ତାଙ୍କର ଅମୂଲ୍ୟ ସେବା ଓ ତ୍ୟାଗକୁ ଉଦ୍ଧାର କରିଥିଲେ । ଅଜିତ ମୋହନ ପୂଜାରୀ ତାଙ୍କ ବକ୍ତବ୍ୟରେ ଆଚାର୍ଯ୍ୟଙ୍କ ଅପରିମିତ ଗୁଣ ଓ ଶିକ୍ଷାକୁ ଆଲୋକିତ କରିଥିଲେ । ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ପ୍ରତିମୂର୍ତ୍ତି ଓ ତାହାର ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହଭାଗୀତା ନିଶ୍ଚିତ କରିବେ ବୋଲି ଆଶ୍ୱାସନ ଦେଇଥିଲେ । ଏହା ଛାତ୍ରଛାତ୍ରୀମାନଙ୍କ ମନରେ “ସେବା ଉପରେ ସ୍ୱୟଂ”ର ମୂଲ୍ୟବୋଧ ଉନ୍ନତ କରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ବରାଳ, ସୁବାସ ମହାପାତ୍ର, ଗଦାଧର ରଥ, କରୁଣାକର ବାରିକ, ଅନିଲ ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସୁଦାମ ଦାସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ସାମଲ, ପୀତବାସ ପ୍ରଧାନ, ହରେକୃଷ୍ଣ ପାଢ଼ୀ, ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ସମେତ ଅନେକ ସମାଜସେବୀ ଓ ସମ୍ମାନୀୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ । ଏହା ସହିତ ରୋଟେରିୟାନମାନେ ସର୍ବଶ୍ରୀ ପ୍ରଶାନ୍ତ ରଞ୍ଜନ ପାତ୍ର, ଗଣେଶ୍ୱର ପଟ୍ଟନାୟକ, ଡା. ସଂଯୁକ୍ତା ପତି, ସବିତା ମହାନ୍ତି, ଅଞ୍ଜଳି ହୋତା, ଅନିତା ନାୟକ, ବିଶ୍ୱନାଥ ମହାନ୍ତି, ବିଜୟଲକ୍ଷ୍ମୀ ତ୍ରିପାଠୀ, ଡା. କଳ୍ପନା ପତି, କାଜଲ ପାଢ଼ୀ, ଡା. କ୍ରିଷ୍ଣା ପ୍ରମାଣିକ ଓ ବସନ୍ତ କୁମାର ତନ୍ତି ପ୍ରମୁଖ ଯୋଗଦେଇଥିଲେ । ଶେଷରେ ରୋଟେରିୟାନ ଶ୍ରୀ ପୂଜାରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରାୟ ଦୁଇଶତ ଲୋକଙ୍କ ଉପସ୍ଥିତିରେ ଏହି ଉତ୍ସବ ଉତ୍ସାହମୟ ପରିବେଶରେ ସମାପ୍ତ ହୋଇଥିଲା ।