ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ସମସ୍ତ ଶୈବପୀଠମାନଙ୍କରେ ବିଶେଷ କରି ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା । ପବିତ୍ର ମହାଶିବରାତ୍ରି ଅବସରରେ ଛତ୍ରପୁରର ସମସ୍ତ ଦେବାଳୟ ମାନଙ୍କରେ ମହାମନ୍ତ୍ର ନାମ ସଂକୀର୍ତ୍ତନର ଧ୍ୱନିରେ ଗୁଞ୍ଜରିତ ହୋଇଉଠିଥିଲା । ପୂର୍ବ ଭଳି ନାଟକ, ନାଟ୍ୟଧାରା ଥିଏଟର, ଦଣ୍ଡନାଚ, ମେଲୋଡି, ରେକର୍ଡ ଡ୍ୟାନସ୍, ହରିକଥା, ୱରକଥା ଆଦି ଆୟୋଜନ ଦେଖୁବାକୁ ମିଳୁନାହିଁ । ଏବେ ସବୁଠି ନାମ ସଂକୀର୍ତ୍ତନ, ଅଷ୍ଟପ୍ରହର, ନାମଯଜ୍ଞ ଏବଂ ଜାଗର ଯାତ୍ରା ସମ୍ପନ୍ନ ହୋଇ ସବୁଠି ଆଜିକାଲିର ପରମ୍ପରା ଅନୁସାରେ ଆନନ୍ଦବଜାର, ଅନ୍ନପ୍ରସାଦ ସମାହାରରେ ସମାହିତ କରାଯାଉଛି । ଛତ୍ରପୁରସ୍ଥ ନୀଳକଣ୍ଠେଶ୍ୱର ମନ୍ଦିର ପକ୍ଷରୁ ହରିହାଟ, ଚନ୍ଦ୍ରଶେଖର ମନ୍ଦିର ତରଫରୁ ନିଆରା ହରିହର ଭେଟ ସମ୍ପାଦିତ ହୋଇଛି । ଛତ୍ରପୁର ସହର ସବୁଠୁ ବିଳମ୍ବରେ ପ୍ରାୟ ୧୧-୩୦ ମିନଟ୍ରେ ମହାଦୀପ ଉଠିଲା । ଜାଗର ଦୀପ ଜାଳି ଭକ୍ତିଭାବାପନ୍ନରେ ଓଁ ନମଃ ଶିବାୟ ଧ୍ୱନିରେ ସମସ୍ତେ ଏକାକାର ହୋଇ ଉଠିଥିଲେ । ସେହିପରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ଏଠାରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥଙ୍କ ପାର୍ଶ୍ଵରେ ନିଆରା ପରମ୍ପରାରେ ଗୌଢ଼ୀୟ ପରମ୍ପରାରେ ନାମ ସଂକୀର୍ତ୍ତନ ଅଷ୍ଟପ୍ରହର ନାମଯଜ୍ଞ ବର୍ଣ୍ଣାଢ଼୍ୟ ସମାରୋହରେ ଅୟୋଜନ କରାଯାଇଛି । ସେହିପରି ଗୌରୀଶଙ୍କର ମନ୍ଦିରରେ ମହାଶିବରାତ୍ରି ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି । ବୀରେଶ୍ଵର ମନ୍ଦିର, ବିଶ୍ଵେଶ୍ଵର ମନ୍ଦିରରେ ନାମଯଜ୍ଞ ସମାରୋହ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଉଥିବା ଦେଖାଦେଇଛି । ଶନିବାର ସନ୍ଧ୍ୟାରେ ଏହି ସମସ୍ତ ଦେବାଳୟ ମାନଙ୍କରେ ଅଧିବାସ କାର୍ଯ୍ୟ, ଜଳଯାତ୍ରା ଅନୁଷ୍ଠିତ ହୋଇ ଆଧ୍ୟାତ୍ମିକ ଜାଗରଣକୁ ଅଧିକ ଉତ୍ସବମୁଖର କରି ଗଢ଼ି ତୋଳିଛି । ପବିତ୍ର ମହାଶିବରାତ୍ରି ଜାଗର ମେଳା ଭକ୍ତିମୟ ପରିବେଶରେ ମୁଖରୀତ କରିଛି ।