ମେଘାସନୀ ମହୋତ୍ସବ -୨୦୨୬ ଉଦଯାପିତ

  • ସବାଇ ଘାସ ପ୍ରସ୍ତୁତ ସାମଗ୍ରୀ ଷ୍ଟଲରେ ଗହଳି

ବାରିପଦା, (ଦେବସ୍ମିତ ଚୌଧୁରୀ) : “ମେଘାସନୀ ମହୋତ୍ସବ -୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା ଉଦଯାପିତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଏଠାକୁ ଆସିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି । ମେଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ହାତ ନିର୍ମାଣ ସାମଗ୍ରୀକୁ ମନ୍ତ୍ରୀ ଶ୍ରୀ ମହାପାତ୍ର ଉଚ୍ଚ ପ୍ରଶଂସା କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଞ୍ଚଳିକ ସଂଗୀତ ପରିବେଷଣ ହୋଇଛି । ଏଇ ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୟୂରଭଞ୍ଜ ଏକ କଳା, ସଂସ୍କୃତିର ସଂପନ୍ନ ଜିଲ୍ଲା । ଲୋକକଳା ଓ ପ୍ରାଚୀନ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଏହିପରି ମେଳା ସମର୍ପିତ । ଏହି ମେଳା ସଭିଙ୍କୁ ଏକାଠି କରିବାରେ ସହାୟକ ହୋଇଛି । ମୟୂରଭଞ୍ଜର କଳା, ସଂସ୍କୃତିକୁ ସୁଦୁର ପ୍ରସାରୀ କରିବାରେ ଏହି ମେଳା ସହାୟକ ହୋଇଛି । ଗ୍ରାମୀଣ ଅର୍ଥନୀତିର ବିକାଶର ସହ ଆତ୍ମନିର୍ଭର ସ୍ୱପ୍ନ ଏହାଦ୍ୱାରା ପୂରଣ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ସୁଶ୍ରୀ ସଞ୍ଜଲୀ ମୁର୍ମୁ ଯୋଗଦେଇ ମାଆ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ଉଚ୍ଚ ପ୍ରଶଂସା କରି ପରିବାର ପ୍ରତିପୋଷଣ ପାଇଁ ସେମାନେ ଆଗକୁ ଉଦାହରଣ ସୃଷ୍ଟି କରିବେ ବୋଲି କହିଛନ୍ତି । ସନ୍ଧ୍ୟାରେ କଳା, ସଂଗୀତ ଓ ସଂସ୍କୃତିର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାରେ ପ୍ରମୁଖ ଭୂମିକାରେ ଉପଜିଲ୍ଲାପାଳ ବାରିପଦା ଡଃ ଦୟାସିନ୍ଧୁ ପରିଡ଼ା ରହି ନିଆରା ସଂଳାପରେ ମଞ୍ଚ ସଞ୍ଚାଳନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲାପାଳ ହେମକାନ୍ତ ସୟ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଧର୍ମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ଶ୍ରେଷ୍ଠ ପ୍ରଦର୍ଶନ ଷ୍ଟଲମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.