ପି ସି ପୁର ସ୍କୁଲରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ : କ୍ୟାନ୍ସରକୁ ହରାଇବା କିନ୍ତୁ ହାରିବା ନାହିଁ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଶ୍ୱ କ୍ୟାନ୍ସର ଦିବସ ଅବସରରେ ସାରା ବିଶ୍ୱରେ ଏହି ରୋଗର ପ୍ରଭାବ, ପ୍ରତିରୋଧ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ସଚେତନତା ବୃଦ୍ଧି କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ପୀଡିତ ହେବା ସହ ଅନେକ ପ୍ରାଣ ହରାଇଥାନ୍ତି । ଏହି ଅବସରରେ ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେଣୁ କ୍ୟାନ୍ସର ରୋଗର କାରଣ ଓ ନିରାକରଣ ଜାଣିବା ଏକାନ୍ତ ଜରୁରୀ । ଏହି ପରିପେକ୍ଷୀରେ “କ୍ୟାନ୍ସରକୁ ହରାଇବା କିନ୍ତୁ ହାରିବା ନାହିଁ” ବିଷୟ ଉପରେ ସ୍ଥାନୀୟ ଗାୟତ୍ରୀ ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଙ୍ଗର ଛାତ୍ରଛାତ୍ରୀମାନେ ଏକ ସଚେତନତା ମୂଳକ ନାଟକ ପରିବେଷଣ କରିଥିଲେ । ପ୍ରାରମ୍ଭିକ ଚି଼ହ୍ନଟ ଓ ପ୍ରତିରୋଧକ ଚିକିତ୍ସାକୁ ଗୁରୁତ୍ୱ ଦେବାପାଇଁ କଳାକାରମାନେ ଉପସ୍ଥିତ କୁନିକୁନି ଛାତ୍ରଛାତ୍ରୀ, ଶିକ୍ଷକ / ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କୁ ନାଟକ ମାଧ୍ୟମରେ ବାର୍ତ୍ତା ଦେଇଥିଲେ । ତତସହିତ ଗୁଟଖା, ପାନ ମସଲା, ଖଇନି, ମଦ ଆଦି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ଉପଦେଶ ଦେଇଥିଲେ । ଗାୟତ୍ରୀ ଅନୁଷ୍ଠାନର ଅଧ୍ୟାପକ ତଥା ମୟୂରଭଞ୍ଜ ହୋମିଓପ୍ୟାଥିକ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ଡଃ ସପନ କୁମାର ଦତ୍ତ, ନିର୍ଦ୍ଦେଶକ କଳ୍ପନା ଦାଶଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.