ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଞ୍ଜ ନଇଁଲେ ସ୍ମାର୍ଟ ପାର୍କରେ ବାହାରୁଛି ଭୂତ । ଏହି କଥା ଆମେ କହୁ ନାହୁଁ ଏହା କହୁଛନ୍ତି ସ୍ମାର୍ଟ ପାର୍କକୁ ବୁଲିବାକୁ ଯାଉଥିବା ଛୋଟ ଛୋଟ ଛୁଆମାନେ । ସତରେ କଣ ଭୂତ ବାହାରୁଛି ଏ ନେଇ ଆମେ ସେଠାରେ ପହଞ୍ଚିବା ସହ କରିଥିଲୁ ତର୍ଜମା । ଦେଖିଲାବେଳକୁ ସୋନପୁର ସହରରେ ମନରଞ୍ଜନ ପାଇଁ ଥିବା ଏକ ମାତ୍ର ସ୍ମାର୍ଟ ପାର୍କର ଅବସ୍ଥା ବର୍ତ୍ତମାନ ବେହାଲ । ସେଠାରେ ମନୋରଞ୍ଜନ ପାଇଁ ତଥା ଫଟୋ ଉଠାଇବା ପାଇଁ ଥିବା ଫାଉନଟେନ୍ (ଜଳ ଫୁଆରା) ୨ ବର୍ଷ ହେଲାଣି ଖରାପ ହୋଇପଡ଼ିଛି । ସ୍ଵାଗତ ପାଇଁ ଦୁଇ ନର୍ତ୍ତକୀଙ୍କ ପାଣି ମାଠିଆରୁ ଆଉ ପାଣି ଝରୁନି । ପାର୍କ ଭିତରେ ଥିବା ଲାଇଟ୍ ଗୁଡ଼ିକ ଲିଭି ବସିଲାଣି । ଆଉ ପାଞ୍ଚ ଛଅଟି ସ୍ଥାନରେ ଲାଇଟ୍ ବିକ୍ ବିକ କରୁଥିବାରୁ ଏହା ଦେଖି ଛୋଟ ଛୁଆମାନେ ଡରି ଡରି କହୁଛନ୍ତି ବାପା ପାର୍କରେ ଭୂତ ଅଛି ଚାଲ ପଳାଇବା । ଵିକ ଵିକ୍ କରୁଥିବା ଲାଇଟ୍ ଭୂତର ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଜିମର କିଛି ସାମାନ ସବୁ ଭାଙ୍ଗି ଗଲାଣି ତ ଆଉ କିଛି କାମ ମାଗିଲାଣି । ସୋନପୁର ସହରରେ ଆମୋଦ ପ୍ରମୋଦ ତଥା ମନୋରଞ୍ଜନ ପାଇଁ କିଛି ନ ଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ସାମ୍ୱାଦିକ ତଥା ସହରବାସୀଙ୍କ ପକ୍ଷରୁ ଅନୁରୋଧ କରାଯିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଫରେଷ୍ଟ ପାର୍କକୁ ନୂତନ ରୂପରେଖ ଦେଇ ସ୍ମାର୍ଟ ପାର୍କରେ ପରିଣତ କରିଥିଲେ । ଏହାର ରକ୍ଷଣବେକ୍ଷଣ ଦାୟିତ୍ଵ ପୌର ପରିଷଦ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ବେଳେ ଭଲ ଆୟ ମଧ୍ୟ ହେଉଥିଲା । କିନ୍ତୁ ଏବେ ଆଉ ପୌର ଅଧିକାରୀ କିମ୍ବା ପ୍ରଶାସନର ଦୃଷ୍ଟି ପଡୁ ନାହିଁ । ଏନେଇ ଜନସାଧାରଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ଶୀଘ୍ର ନୂତନ ଲାଇଟ୍, ଜଳ ଫୁଆରା ମରାମତି ଓ ଜିମ୍ ଉପକରଣର ଶୀଘ୍ର ମରାମତି ପାଇଁ ସହର ବାସୀଙ୍କ ପକ୍ଷରୁ ଦାବି ହେଉଛି ।
Prev Post