ପୁସ୍ତକ ଅନାବରଣ ଓ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ରାଉରକେଲା ତରଫରୁ ସ୍ୱତନ୍ତ୍ର ସାରସ୍ୱତ ସଭା, ବନ୍ଧୁ ମିଳନ, ପୁସ୍ତକ ଅନାବରଣ ତଥା ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ କବି ତ୍ରିଲୋଚନ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ରାଜୀବ ପାଣିଙ୍କ ପ୍ରବନ୍ଧ ସଙ୍କଳନ ପ୍ରବନ୍ଧ ପ୍ରମୂର୍ତ୍ତକୁ ଅତିଥିମାନେ ଅନାବରଣ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ, ପୁସ୍ତକର କବିତା ଗୁଡ଼ିକର ସମୀକ୍ଷକ ଭାବେ ଡ. ଅଶ୍ୱିନୀ କୁମାର ରାୟ ଓ ପ୍ରବନ୍ଧ ଗୁଡ଼ିକର ସମୀକ୍ଷକ ଭାବେ ଗାଳ୍ପିକା ମୋନାଲିସା ମିଶ୍ର ଯୋଗ ଦେଇ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସର୍ଜନ ସୃଷ୍ଟି କରିନଥାଏ, ଅନ୍ୟକୁ ସେ ପ୍ରେରିତ କରିଥାଏ । କବି ଶ୍ରୀ ପାଣି ପୁସ୍ତକ ସମ୍ପର୍କରେ ମତ ରଖି କହିଲେ ଯେ, ସାହିତ୍ୟ ଏକ ସାଧନା । ସଫଳତା ଚିରସ୍ଥାୟୀ ନୁହେଁ । ସାହିତ୍ୟ ମୋ ପାଇଁ ଅଳଙ୍କାର ନୁହେଁ ଆତ୍ମାର ଆଳାପ । ସବୁକିଛି ଧରି ରଖିବା ପାଇଁ ଜୀବନ ଖାଲି ଶିଖାଇନି ଛାଡିବା ବି ଶିଖାଇଛି । ଜୀବନ ହେଉଛି ନୀରବ ସୃଜନର ଯାତ୍ରା । ନୀରବତାକୁ ସହିବାଟା ଦାର୍ଶନିକତା । ସୁଖ ରଙ୍ଗ ଦିଏ, ଦୁଃଖ ଗଭୀରତା ଦିଏ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଶିକ୍ଷାବିତ ଶର୍ମିଷ୍ଠା କବିଶତପଥୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି ରାଜୀବ ପାଣିଙ୍କ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବହୁ ସାହିତ୍ୟିକ, କବି, ସଂଗଠକ, ବହୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପହାର ଓ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.