ବନ୍ଦେ ମାତରଂ @୧୫୦ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ନିର୍ମଳ ମୁଣ୍ଡା ନଗର ଶାଖା ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ତଥା ବନ୍ଦେ ମାତରଂ @୧୫୦ ଆଲୋଚନାଚକ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତିତ୍ୱ ଓ ଉପସଭାପତି ଅଜୟ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ରାଉରକେଲାର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଜେନା, ବିଷୟ ବିଶେଷଜ୍ଞ ଭାବେ ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ‘ବନ୍ଦେ ମାତରଂ @୧୫୦’ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଓ ଆଲୋଚକ ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ ଶବ୍ଦର ଉତ୍ପତ୍ତି, ଏହାର ଇତିବୃତି, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଅବଦାନ, ମାତୃଭାଷା, ମାତୃଭୂମିର ଋଣ ଓ ପଞ୍ଚ ପରିବର୍ତ୍ତନ ଯଥା ସାମାଜିକ ସମରତା, ପର୍ଯ୍ୟାବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସ୍ୱ-ଆଧାରିତ ଜୀବନ ଓ ନାଗରିକ କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ନଗରପାଳକ ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର ପ୍ରାକକଥନ ରଖିଥିଲେ । ସଭାପତି ପ୍ର. ଗୋସ୍ୱାମୀ ଆଲୋଚ୍ୟ ପ୍ରସଙ୍ଗର ଆଭିମୁଖ୍ୟ ଓ ଆଲୋଚନାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପାଠାଗାର ସମ୍ପାଦକ ବିଶ୍ୱନାଥ ଜେନା ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ହରିହର ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସଭ୍ୟ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶାଖାର କର୍ମକର୍ତ୍ତା, ସାହିତ୍ୟିକ, କବି ବନ୍ଧୁମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.