ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ମହୋତ୍ସବ ପଡିଆରେ ଆୟୋଜିତ ପ୍ରଥମ ସାମନ୍ତ ମହୋତ୍ସବର ୨ୟ ସନ୍ଧ୍ୟା ବେଶ ଚିତାକର୍ଷକ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କ ମନ ଜିଣି ପାରିଥିଲା । ସନ୍ଧ୍ୟାରେ ଆୟୋଜିତ ସଭାରେ ସାମନ୍ତ ମହୋତ୍ସବ କମିଟିର ମୁଖ୍ୟ ପୁରୋଧା ତଥା ଯୁବ ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ ପୌରହିତ୍ୟ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଣ୍ତପଡା ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନ, ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ବରିଷ୍ଠ ଆଇନଜୀବୀ ମାଧବ ପ୍ରସାଦ ମିଶ୍ର, ନୟାଗଡ ଜିଲ୍ଲା ଭାଜପା ସଭାପତି ତାପସ ମାର୍ଥା, ପଣ୍ଡିତ ମନୋଜ ଦାଶ, ମହୋତ୍ସବ କମିଟିର ସଭାପତି ତଥା ଆଇନଜୀବୀ ଗିରିଜା ପ୍ରସାଦ ମିଶ୍ର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ରଙ୍କ ସମେତ ଖଣ୍ଡପଡ଼ା ଏନଏସିର କାଉନସିଲରମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମହୋତ୍ସବ କମିଟିର ସମ୍ପାଦକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଏ ଅବସରରେ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ‘ସାମନ୍ତ ସିଦ୍ଧାନ୍ତ’ ଶିର୍ଷକ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲା ବେଳେ ମଞ୍ଚ ତଳେ ଯୁବକମାନେ ନାଚଗୀତରେ ଝୁମିଥିଲେ ।