ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀଜୀଙ୍କ ସମ୍ପୂର୍ଣ୍ଣ ଗ୍ରାମ୍ୟ ସ୍ୱରାଜ ପରିକଳ୍ପନାକୁ ସାକାର କରିବାରେ ବିଫଳ ହୋଇଥିଲା ମନେରଗା । ତଳସ୍ତର ଠାରୁ ଉପରସ୍ତର ପର୍ଯ୍ୟନ୍ତ ପ୍ରାଶାସନିକ ବ୍ୟବସ୍ଥାରେ ଅତ୍ୟନ୍ତ ଦୁର୍ନୀତି ହେଉଥିଲା । ଶ୍ରମିକଙ୍କୁ ୧୨୫ ଦିନର ରୋଜଗାର ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ବିଲ୍ ସଂସଦରେ ପାସ ହୋଇ ଆଇନର ପ୍ରଣୟନ ହୋଇଛି । ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇ ପାରିବ ତାହା ହେଉଛି ବିକଶିତ ଭାରତର ଉଦ୍ଦେଶ୍ୟ । କେବଳ ତାଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବା ଆମର ଲକ୍ଷ୍ୟ ନୁହେଁ । ବିରୋଧୀ ଦଳଗୁଡିକ ନାନା ପ୍ରକାର ଅପପ୍ରଚାର କରୁଛନ୍ତି । ଏହାକୁ କୃଷକ ବିରୋଧୀ ଏବଂ ଗରିବ ବିରୋଧୀ ବୋଲି ସେମାନେ ଦର୍ଶାଉଛନ୍ତି । କିନ୍ତୁ କୃଷକ ଓ ଶ୍ରମିକ କଲ୍ୟାଣ ପାଇଁ ଏହି ଆଇନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ରାଉରକେଲା ସେକ୍ଟର -୮ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣ ଠାରେ ବିଜେପି ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର ତାଙ୍କ ପ୍ରଶିକ୍ଷଣ ବକ୍ତବ୍ୟରେ କହିଛନ୍ତି । ୨୦୦୫ରେ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା (ମନରେଗା) ଆରମ୍ଭ କରାଯାଇଥିଲା । ଗତ ୨୦ ବର୍ଷ ଧରି ସାରା ଦେଶରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଥିଲା । ୨୦୦୯ରେ ଉକ୍ତ ଯୋଜନାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ନାମିତ କରାଯାଇଥିଲା । ମାତ୍ର ଏହାର ମୌଳିକ ଢାଞ୍ଚାରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଗାନ୍ଧୀଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବାକୁ ୟୁପିଏ ସରକାର ଏହାକୁ କରିଥିଲେ । ଏଥିରେ ୧୦୦ ଦିନର ନିଶ୍ଚିନ୍ତ କର୍ମ ନିଯୁକ୍ତି ଦେବା ପାଇଁ ନିୟମ ଥିଲେ ମଧ୍ୟ ବାସ୍ତବରେ କେବଳ ୫୦ ଦିନ କାମ ମିଳୁଥିଲା । ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତା ଦେଖୁବାକୁ ମିଳିଥିଲା । ୟୁପିଏ ସରକାର ସମୟରେ ଯୋଜନାବଦ୍ଧ ଭାବେ ଏସବୁ ଦୁର୍ନୀତି ହୋଇଥିଲା । ବିହାରରେ ୬ ହଜାର କୋଟି ଓ ଉତ୍ତରପ୍ରଦେଶରେ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଓଡିଶା ମଧ୍ୟ ଏଥରୁ ବାଦ ପଡି ନ ଥିଲା । ୨୦୧୨ ମସିହାରେ ସମ୍ବଲପୁରରେ କେତେଜଣ ମୃତବ୍ୟକ୍ତି, ରୋଗୀ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ନାମରେ ମଜୁରୀ ଟଙ୍କା ଉଠାଯାଇଥିଲା । ମାଷ୍ଟର ରୋଲରେ ମିଛ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା । କିଛି ରାସ୍ତା କାମ ଆରମ୍ଭ କରାନଯାଇ ଅର୍ଥ ହଡପ କରାଯାଇଥିଲା । ଟେକ୍ନୋଲୋଜି ବ୍ୟବହାର କରି ଏସବୁ ଦୁର୍ନୀତି ରୋକିବା ଏବଂ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ “ଭିବି ଜି ରାମ ଜି ବିଲ୍’ ପ୍ରଣୟନ କରିଛନ୍ତି । ଗ୍ରାମ ସ୍ୱରାଜ ଆଣିବା ପାଇଁ ଗାନ୍ଧୀଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରି ଦେଶର ଗ୍ରାମାଞ୍ଚଳକୁ ବିକଶିତ ଆଡକୁ କିପରି ଅଗ୍ରସର ହେବ ସେନେଇ ନୂତନ ଯୋଜନାରେ ବ୍ୟବସ୍ଥା କରାଯାଇଛି । କର୍ମନିଯୁକ୍ତିର ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି । କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଷ ସମୟରେ ଓ ଅମଳ ସମୟରେ ଏହି କାମ ସମ୍ପୂର୍ଣ ବନ୍ଦ ରହିବ । ବର୍ଷକୁ ୬୦ ଦିନ ପର୍ଯ୍ୟନ୍ତ ଏହି ଅବଧି ରଖାଯାଇଛି । ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକ ଅଭାବ ସମସ୍ୟା ଦୂରହେବ ଏବଂ ଅଯଥା ମଜୁରୀ ବଢ଼ିବା ସମସ୍ୟା ବନ୍ଦ ହେବ । ଏହି କର୍ମଶାଳାରେ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା ସଧାରଣ ସମ୍ପାଦକ ଅଭିରାମ ମହାକୁଳ ଓ ରଞ୍ଜିତ ନାଏକ, ଜିଲ୍ଳା ଉପସଭାପତି ଅମରେନ୍ଦ୍ର ନାଥ ଶର୍ମା, ପଦ୍ମିନୀ ଦାଶ ଓ ମନୋଜ କୁମାର ସେନାପତି, ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ବିରାଟ, ପ୍ରତାପ ଦାସ, ଶଙ୍କର ଲୋହାର, ଜୟନ୍ତୀ ମାହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ ସତ୍ୟପଦ ଶର୍ମା, ବରିଷ୍ଠ ସଦସ୍ୟ ସରୋଜ ଦାସ, ଅନିଲ କୁମାର ମାହାନ୍ତ, ସମସ୍ତ ମଣ୍ଡଳ ସଭାପତି ଓ ସାଧାରଣ ସମ୍ପାଦକ, ମଣ୍ଡଳ ଟୋଲିର ସମସ୍ତ ସଦସ୍ୟ ଗଣ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହି ଯୋଜନା ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଜନଜାଗରଣ ସୃଷ୍ଟି କରିବ ସେ ବିଷୟରେ ମଧ୍ୟ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା । ଏହି କର୍ମଶାଳାରେ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।