ମନରେଗା ଯୋଜନା, ବିଦ୍ୟୁତ ଉପଭୋକ୍ତାଙ୍କୁ ଲୁଟ ଓ ଚାଷୀ ଶୋଷଣ ପ୍ରତିବାଦରେ କଂଗ୍ରେସ ଗର୍ଜିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୦୫ ମସିହାରେ ଗରିବଙ୍କୁ କାମଧନ୍ଦା ଯୋଗାଇବାକୁ ୟୁପିଏ ସରକାର କରିଥିବା ମନରେଗା ଯୋଜନାକୁ ବନ୍ଦ କରି କେନ୍ଦ୍ରର ମୋଦୀ ସରକାର ବିଭି ଜି ରାମଜୀ ଯୋଜନା କରିଛନ୍ତି । ଏହାକୁ କଂଗ୍ରେସ ଦଳ ପ୍ରବଳ ବିରୋଧ କରିଛି । ଆଜି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନରେ ସାରାରାଜ୍ୟରେ ଜିଲ୍ଲା କଂଗ୍ରେସ କମିଟି ମାନେ ସାମ୍ବାଦିକ ସମ୍ବିଳନୀ କରି କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ପ୍ରବଳ ବିରୋଧ କରି ଆଗକୁ ଏକ ବଡ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ମନରେଗା ଯୋଜନା ବନ୍ଦର ପ୍ରତିବାଦ, ଟାଟା ପାୱାର ଜରିଆରେ ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ଓ ଠିକ ହିସାବରେ ଧାନ ନକିଣି ଚାଷୀଙ୍କୁ ଶୋଷଣ କରାଯାଉଥିବାର ପ୍ରତିବାଦରେ କଂଗ୍ରେସ ଦଳ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଚେତାବନୀ ଦେଇଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅନୀଲ ମେହେର, ପିସିସି ପର୍ଯ୍ୟବେକ୍ଷକ ମୂରଲୀଧର ନାଏକ, ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଦସ୍ୟ ରାଧାକାନ୍ତ ନାୟକ, ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ ଓ ପାଟଣାଗଡ ନଗର କଂଗ୍ରେସର ପୂର୍ବତନ ସଭାପତି ବିଦ୍ୟାଧର ମେହେର ପ୍ରମୁଖ ମଞ୍ଚାସୀନ ରହି ଭାଜପାର ଡବଲ ଇଞ୍ଜିନ ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଜିଲ୍ଲା ସଭାପତି ତାଙ୍କ ବକ୍ତବ୍ୟରେ ମନରେଗା ଯୋଜନା ବନ୍ଦ ଫଳରେ ବଲାଙ୍ଗିର ଭଳି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ । ଏହା ସହିତ କେନ୍ଦ୍ରର ଭାଜପା ନେତୃତ୍ୱାଧିନ ଏନଡିଏ ସରକାର ଆର୍‌ଏସ୍‌ଏସ୍‌ ବିଚାରଧାରାରେ ପରିଚାଳିତ ହୋଇ ମହାତ୍ମାଗାନ୍ଧୀଙ୍କ ନାମକୁ ଲିଭାଇବାକୁ ଚେଷ୍ଟା କରିଛି । କିନ୍ତୁ ମହାତ୍ମାଗାନ୍ଧୀ ସମଗ୍ର ଦେଶବାସୀଙ୍କ ହୃଦୟରେ ରହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ବିଚାରକୁ ନେଇ ବିଜେପି ସରକାରଙ୍କ ହୀନ ମନ୍ୟତା ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ମନରେଗା ଯୋଜନା ବନ୍ଦକରି ଦେଶର ଗରିବଲୋକଙ୍କ ଜୀବନଜୀବିକା ସହିତ ସରକାର ଖେଳ ଖେଳିଛନ୍ତି ବୋଲି କଂଗ୍ରେସ୍ ଅଭିଯୋଗ ଉଠାଇଛି । ମନରେଗା ଯୋଜନାରେ କେନ୍ଦ୍ର ୯୦% ଅନୁଦାନ ଦେଉଥିବା ବେଳେ ନୂତନ ବିଭିରାମଜୀ ଯୋଜନାରେ କେନ୍ଦ୍ର ମାତ୍ର ୬୦% ଅନୁଦାନ ଦେବ । ତେଣୁ ଶ୍ରମନିଯୁକ୍ତିରେ ବିସଙ୍ଗତି ଦେଖାଦେବ ବୋଲି କୁହାଯାଇଛି । ସେହିପରି ସ୍ମାର୍ଟମିଟର ଲଗାଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା ସହିତ ନିର୍ବାଚନବେଳେ ୩୦୦ ୟୁନିଟ ବିଦ୍ୟୁତ ବିଲ ଛାଡ କଥା କହି ଭାଜପା ମିଥ୍ୟା ପ୍ରତିଶୃତି ଦେଇଥିଲା ବୋଲି ସମାଲୋଚନା କରିଥିଲେ । ରାଜ୍ୟର ଚାଷୀମାନେ ମାତ୍ର ୨% ବିଦ୍ୟୁତ ଉପଯୋଗ କରୁଛନ୍ତି । ତେଣୁ ଚାଷୀଙ୍କର ବିଦ୍ୟୁତ ବିଲ ଛାଡ କରି ମାଗଣାରେ ବିଜୁଳି ଯୋଗାଇଦେବା,ଶିଳ୍ପମାନଙ୍କୁ ଅଧିକ ଟେକ୍ସ ଲଗାଇବାକୁ ଦାବି କରାଯାଇଛି । ଭାଜପା ସରକାର ଶିଳ୍ପସଂସ୍ଥାଠାରୁ ଅନୁଗ୍ରହିତ ହୋଇ ସେମାନଙ୍କ ପାଇଁ ବିଦ୍ୟୁତ ବିଲରେ ରିହାତି ଦେଉଥିବା ବେଳେ ଗରିବ ଚାଷୀ ଓ ସାଧାରଣ ଉପଭୋକ୍ତାଙ୍କୁ ଅଧିକ ବିଲ ଲଗାଉଛନ୍ତି । ଓଡିଶାରେ କୋଇଲା ଉତ୍ପାଦନ ହୋଇ ବିଦ୍ୟୁତ ମଧ୍ୟ ଉତ୍ପାଦନ ହେଉଛି । କିନ୍ତୁ ତଥାପି ଓଡିଶାର ଉପଭୋକ୍ତା ଅଧିକମାତ୍ରାରେ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ ହେଉଛି ବୋଲି କଂଗ୍ରେସନେତା ଅଭିଯୋଗ କରିଛନ୍ତି । ଠିକ ସେହିପରି ଚାଷୀଙ୍କୁ ବୋନସ ବଦଳରେ ଧାନର ଏମଏସପି ଦର ବଢାଇବାକୁ କଂଗ୍ରେସ ବହୁବର୍ଷ ହେଲା ଦାବି କରିଆସୁଛି । କିନ୍ତୁ ସରକାର ସେହି ଦାବିକୁ କର୍ଣ୍ଣପାତ ନକରି ଚାଷୀଙ୍କ ଧାନକୁ ଠିକରେ ନକିଣି ଶୋଷଣ କରୁଛି । ଏହି ସବୁଦାବିକୁ ନେଇ କଂଗ୍ରେସଦଳ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ଓ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଥିବା ଲୋକମାନେ ଆରଏସଏସ ବିଚାରଧାରାରେ ବିଶ୍ୱାସ କରୁଥିବା ବିଜେପି ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପିସିସି ପର୍ଯ୍ୟବେକ୍ଷକ ମୂରଲୀଧର ନାଏକ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.