ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାନିପାଲି ଠାରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟି ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ରତାଖଣ୍ଡି, ତାଲଜୁରି, ବାନିପାଲି, ଫଲସାମାଲ, ସାନଝାଙ୍କରପାଲି, ଠାକୁରପାଲି, ସିଂହାଣୀମୁଣ୍ଡା, ତବଲବାଞ୍ଜି, ଵିଅରପାଲି, ବାଦିପାଲି, ଦାଣ୍ଡପାଣି ପ୍ରଭୃତି ଗ୍ରାମର ଜଙ୍ଗଲ ଅଧିକାର କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ବ୍ୟକ୍ତିଗତ, ଗୋଷ୍ଠୀଗତ ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ ଦିଗରେ ସରକାରୀ ସ୍ତରରେ ଅହେତୁକ ବିଳମ୍ବ ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ପଟ୍ଟା ପ୍ରଦାନ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଯୋଗୁଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା । ଏଥିସହିତ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ପଟ୍ଟା ପ୍ରଦାନ ତଥା “ମୋ ଜଙ୍ଗଲ ଜମି ଯୋଜନା” ଆଇନକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସକାଶେ ବୈଠକରେ ସହମତି ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିର ସମ୍ପାଦକ ଚୈତନ୍ୟ ବାଗ ସମସ୍ତଙ୍କୁ ସ୍ଵାଗତ ଜଣାଇଥିବା ବେଳେ ପରିଶେଷରେ ସଭାପତି ରାଧାକାନ୍ତ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।