ଚାରି ଦିବସୀୟ ରାଷ୍ଟ୍ରୀୟ ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାଯଜ୍ଞ ଗଣ୍ତାବାହାଲି

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ରାଷ୍ଟ୍ରୀୟ ଶୌର୍ଯ୍ୟ ସଂବୃଦ୍ଧି ୨୪ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଅଛି । ସମାଜ ସଂସ୍କାର, ନାରୀ ସଶକ୍ତିକରଣ, ମାତୃଶକ୍ତିର ବିକାଶ, ନିଶା ନିବାରଣ, ଶିକ୍ଷିତ ସମାଜ ଗଠନ ଉଦ୍ଦେଶ୍ୟରେ ଚାରି ଦିନ ଧରି ଯଜ୍ଞର ଆୟୋଜନ ହୋଇଅଛି । ଏଥିରେ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଟୋଳି ନାୟକ ଋଷିପୁତ୍ର ସଂଦିପ ପାଣ୍ତେ ଓ ବନୱାରୀ ଲାଲଜୀ ଯୋଗଦେଇଥିଲେ । ସର୍ବପ୍ରଥମେ ଦେବଶକ୍ତିଙ୍କ ଆବାହନ ହେବାପରେ ଆଳତୀ କାର୍ଯ୍ୟ ହୋଇଥିଲା ଏବଂ ପ୍ରତ୍ୟେକ ଦିନ ୨୪ ଟି କୁଣ୍ତରେ ଯଜମାନ ଉପସ୍ଥିତ ରହି ସାର୍ବଜନୀନ କଲ୍ୟାଣ ପାଇଁ ଆହୁତି ଦେବା ସହ ଗୁରୁଦେବଙ୍କ ପୂଜନ କରିଥିଲେ । ଏହିପରି ତିନିଦିନ ଧରି ପ୍ରତ୍ୟେକ କୁଣ୍ଡରେ ନୂତନ ଯଜମାନ ଯୋଇଦେଇ ପୂଜନ କରିବାର ବ୍ୟବସ୍ଥା ରହିଛି । ସଂଧ୍ୟା ସମୟରେ ଦୀପ ଯଜ୍ଞ ଓ ବରିଷ୍ଠ ପ୍ରବଚକମାନଙ୍କ ଦ୍ୱାରା ପ୍ରବଚନ ଓ ଭଜନ ପରିବେଷଣ ହେଉଛି । ଏତତ୍ ସହ ସରିତା ଅଗ୍ରୱାଲଙ୍କ ନେତୃତ୍ୱରେ ଗଣ୍ତାବାହାଲି ମହିଳା ମଣ୍ଡଳର ଭଉଣୀମାନେ ଏକ ଯୋଗ ଆଧାରିତ ନୃତ୍ୟ ପରିବେଷଣ କରି ଯୋଗ ଓ ସ୍ୱାସ୍ଥ୍ୟ ସହ ନିବିଡ଼ ଥିବା ତତ୍ତ୍ଵ ସଂପର୍କରେ ସଚେତନ ବାର୍ତ୍ତା ପରିବେଷଣ କରିଥିଲେ । ଯଜ୍ଞ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ୩୦୦ ରୁ ଅଧିକ ବିଭିନ୍ନ ନିଃଶୁଳ୍କ ସଂସ୍କାର ବିବାହ, ଦିକ୍ଷା, ମୁଣ୍ଡନ, ନୁସଂବନ, ବ୍ରତପୋନୟନ, କୁମାରୀ ବ୍ରତ, ଗର୍ଭ ସଂସ୍କାର ଭଳି କାର୍ଯ୍ୟକ୍ରମ ମହାସମାରୋହରେ କରାଯିବା ସହ ବିଭିନ୍ନ ଷ୍ଟଲ୍‌ମାନଙ୍କରେ ସଚେତନତା ବାର୍ତ୍ତା, ଆସ ଗଢ଼ିବା ସଂସ୍କାରବାନ ପିଢି ମାଧ୍ୟମରେ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ଵାରା ପୁନର୍ଜୀବିତ କରିଥିବା ସଂସ୍କାର ପରମ୍ପରାରେ ନିୟମିତ ମାତୃଗର୍ଭର ଯତ୍ନନେବା ରହସ୍ୟ ତତ୍ତ୍ୱ ସୂଚନା ଦେବା ସହ ଆଗାମୀ ପିଢ଼ି କିପରି ସୁନ୍ଦର ଭାବରେ ସଂସ୍କାରିତ ହୋଇପାରିବେ ତାହା ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀସ୍ଥଳୀକୁ ସରିତା ଅଗ୍ରୱାଲ, ମମତା ଥପା, ଜୟନ୍ତୀ ଆଚାର୍ଯ୍ୟ ପରିଚାଳନା କରିଥିଲେ । ବିଭିନ୍ନ ପୁସ୍ତକ ତଥା ଉପାଦେୟତା ଦ୍ରବ୍ୟର ପ୍ରଦର୍ଶନୀ ପଡ଼ିଆରେ ପ୍ରଦର୍ଶନ ହୋଇଥିଲା । ପ୍ରଥମ ଦିବସରେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ମି ଓରାମ ଉପସ୍ଥିତ ରହି ଧ୍ୱଜା ଆରୋହଣ କରିଥିବାବେଳେ ଦ୍ୱିତୀୟ ଦିବସରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ବନଖଣ୍ଡ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ୨୫ ହଜାରରୁ ଅଧିକ ଜନସମାଗମ ହୋଉଅଛି । ମହାଯଜ୍ଞରେ ନୂଆପଡା ଜିଲ୍ଲା ଗାୟତ୍ରୀ ପରିବାରର‌ ସମସ୍ତ କର୍ମକର୍ତ୍ତା, ମହିଳା ମଣ୍ଡଳ ସିନାପାଲି, ହାତୀବନ୍ଧା ପ୍ରଜ୍ଞା ପୀଠ, ସିନାପାଲି ଶକ୍ତିପୀଠ, ତୁକୁଲା ଶକ୍ତିପୀଠ ତଥା ଗଣ୍ତାବାହାଲି ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.