- ପ୍ୟାକ୍ସ ସମ୍ପାଦକଙ୍କ ମନମୁଖୀ କାରବାରକୁ ନେଇ ଚାଷୀ ଅସନ୍ତୋଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିଯୋଗକୁ ବେଖାତିର କରୁଛି ପ୍ରଶାସନ
ସଇଁତଲା, (କେପିଏନ୍ଏସ୍) : ରାଜ୍ୟରେ ବର୍ତ୍ତମାନ ପ୍ୟାକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଖରିଫ ଧାନ କିଣା ଚାଲୁ ରହିଛି । ମିଲର୍ସ ଏବଂ ପ୍ୟାକ୍ସ ସମ୍ପାଦକ ନିଜ ମନମୁଖି କାରବାର କରୁଥବାରୁ ଜନ ଅସନ୍ତୋଷ ଦେଖାଦେଇଛି । ସଇଁତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୀପାଲି ପଂଚାୟତର ପ୍ୟାକ୍ସରେ ଚାଷୀଙ୍କ ଧାନ ୬ କେଜି ଲେଖାଏଁ କଟାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ କହିବା ଅନୁସାରେ ପ୍ୟାକ୍ସର ସମ୍ପାଦକ ତେଜଭୂଷଣ ଭୋଇ ନିଜ ମନମୁଖି କାରବାର କରିବା ସହ ପ୍ରତ୍ୟେକ ଚାଷୀଙ୍କ ଧାନରୁ କୁଇଣ୍ଟାଲ ପିଛା ୬ କେଜି ଲେଖାଏଁ ଧାନ କାଟୁଛନ୍ତି । ଚାଷୀମାନେ ନିଜ କଷ୍ଟ ଉପାର୍ଜିତ ଧାନକୁ ସଠିକ ମୂଲ୍ୟ ପାଇବା ପାଇଁ ଧାନରୁ ଅଳିଆ, ଆବର୍ଜନା, ପୋଲଧାନ ତଥା ଧାନକୁ ଶୁଖାଇ ମଣ୍ଡିକୁ ଆଣୁଛନ୍ତି । ନିଜ ଖର୍ଚ୍ଚରେ ମଣ୍ଡିକୁ ଧାନ ଆଣୁଥିବା ଚାଷୀମାନେ ଧାନ ବିକ୍ରୟ କରିବାକୁ ଦିନରାତି ଏକ କରି ନିଜ ଟୋକନର ନମ୍ବର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଛନ୍ତି । ଟୋକନ ଆସିବା ପରେ ପ୍ୟାକ୍ସ ସମ୍ପାଦକ କ୍ୱିଣ୍ଟାଲ ପିଛା ୬ କେଜି ଧାନକାଟି ଓଜନ କରି ମିଲକୁ ପଠାଉଛନ୍ତି । ସେହିପରି ଚାଷୀ ଜରି ବସ୍ତାରେ ଧାନ ଆଣିଥିଲେ ତାକୁ କିଣିବାକୁ ସରକାର ମନା କରୁଥିବା ବେଳେ ଅଖା ବସ୍ତା ଆଣିବାକୁ ଚାଷୀଙ୍କୁ ବାଧ୍ୟ କରୁଛନ୍ତି । ଧାନର ମାନ ପରୀକ୍ଷା କରିବାକୁ ଚାଷୀମାନେ ଫ୍ୟାକ୍ସରେ ଥିବା ମେସିନର ବ୍ୟବହାର କରିବାକୁ ଅନୁରୋଧ କଲେ ମଧ୍ୟ ସମ୍ପାଦକ ତାହା କର୍ଣ୍ଣପାତ କରୁନଥିବା କହିଛନ୍ତି । ଜଣେ ଚାଷୀ ନିଜ କଷ୍ଟ ଉପାର୍ଜିତ ୫୦ କୁଇଣ୍ଟାଲ ଧାନ ବିକ୍ରୟ କରିବାକୁ ପ୍ୟାକ୍ସକୁ ଧାନ ନେଇଥିବାବେଳେ ଉକ୍ତ ଚାଷୀଙ୍କ ନିକଟରୁ ପ୍ରାୟ ୩ କୁଇଣ୍ଟାଲ ଧାନ କଟନୀ କରାଯାଉଥିବାରୁ ଚାଷୀ ପ୍ରାୟ ୯ ରୁ ୧୦ ହଜାର ଟଙ୍କାର କ୍ଷତି ସହୁଥିବା ସଇଁତଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ କହିଛନ୍ତି । ସେହିପରି ଏ ବିଷୟକୁ ନେଇ ସଇଁତଲା ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଡୁଙ୍ଗୁରିପାଲି ପ୍ୟାକ୍ସକୁ ଯାଇ ତଦନ୍ତ କରିବା ସହ ଅଭିଯୋଗର ସତ୍ୟତା ପାଇଲେ ପ୍ୟାକ୍ସ ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।