ପଏଁରୀ ତିହାର ଉଦ୍‌ଯାପିତ : ଡାଲଖାଇ ଓ ଚପ୍ କରାଟି ଗୀତ ନାଚରେ ଝୁମିଲେ ଦର୍ଶକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତିନିଦିନ ଧରି ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପଏଁରୀ ତିହାର- ୨୦୨୬ ଉଦ‌ଯାପିତ ହୋଇଯାଇଛି । ସୁବର୍ଣ୍ଣପୁର ହେଉଛି କଳାର ମାଟି ଏଠାରେ ବର୍ଷର ପ୍ରାୟ ସବୁ ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଏଠାକାର କଳା, ସଂସ୍କୃତି ଏବଂ ପରମ୍ପରା ହେଉଛି ଅନନ୍ୟ । ଏହାକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଉଦ‌ଯାପନୀ ସଂଧ୍ୟାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ପଏଁରୀ ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ଯୋଗ ଦେଇ ଅଞ୍ଚଳର କଳା, ସଂସ୍କୃତି ଏବଂ ପଏଁରୀର ଏଭଳି ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କବି ଓ ଲେଖକ ଆର୍ତ୍ତତ୍ରାଣ ବାବୁ, ବରିଷ୍ଠ ପ୍ରଶାସକ ବିଶ୍ଵନାଥ ବାରିକ, ଶ୍ରୀହରି ଗ୍ରୁପ ଅଫ ଇଷ୍ଟିଚ୍ୟୁସନର ଅଧ୍ୟକ୍ଷ ରାଜେଶ କୁମାର ମେହେର, ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଉପଦେଷ୍ଟା ଅଭିମନ୍ୟୁ କୁଶଳ, ନାଟ୍ୟଶ୍ରୀ ଗଦାଧର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ସେହି ଅବସରରେ କଳାକାର ବିପିନ ଜାଲଙ୍କୁ ସୁରେଶ୍ଵରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ, ସାମ୍ବାଦିକଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ସମ୍ପାଦକ ଚୌଧୁରି ବିଭାର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉପସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ କଣ୍ଠଶିଳ୍ପୀମାନେ ଲୋକଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଶାନ୍ତ ସାହୁ ସଂଯୋଜନା କରିଥିଲେ । ସଭା ପରେ ପଏଁରୀ ଅନୁଷ୍ଠାନର ଚପକ୍‌କ୍ରାଟିରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପରେ ପରେ ସମ୍ବଲପୁର, ପୁରୀ, ବିନିକା, କେସିଙ୍ଗାର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ପଏଁରୀ ଅନୁଷ୍ଠାନର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସ‌ହ‌ଯୋଗ କରିଥିଲେ ।

Leave A Reply

Your email address will not be published.