ପାଟଣାଗଡ଼, (କେପିଏନ୍ଏସ୍) : କୋଶଳାଞ୍ଚଳରେ ଦୁଇ କୋଟି ଜନସାଧାରଣ ବସବାସ କରୁଥିବାବେଳେ ଏଠାକାର ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଠି ଅନୁକୂଳ କରିଥାନ୍ତି । ଚାଷୀମାନେ ଧାନ ଖାଦ୍ୟ ଶସ୍ୟ ସହିତ ଡାଲି ଜାତୀୟ, ଅର୍ଥକାରୀ ଫସଲ ଏବଂ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଚାଷ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଷ ନୀତି -ନିୟମ ମୁତାବକ ଆରମ୍ଭ କରି ଅକ୍ଟୋବର ମାସରୁ ନଭେମ୍ବର ମାସର ଶେଷ ସୁଦ୍ଧା ବିଭିନ୍ନ ପ୍ରକାର ଫସଲ ଅମଳ କରିଥାନ୍ତି । ଉତ୍ପାଦନ ଚାଷ ଅମଳ ସହ ବିକ୍ରିବଟା କରି ଧାର କରଜ ସୁଝିଥାନ୍ତି ଓ ଚାଷ କାର୍ଯ୍ୟରେ ସହଯୋଗ କରିଥିବା ବା ଶ୍ରମିକ ଭାବେ କାମ କରିଥିବା ମଜୁରିଆ (ହଳିଆ, କୁଠିଆ) ମାନଙ୍କୁ ମଧ୍ୟ ଚାଷ ଅମଳ ଶେଷ ସମୟରେ ସେମାନଙ୍କର ପାରିଶ୍ରମିକ ସହିତ ପ୍ରୋତ୍ସାହନ ବାବଦକୁ ପଇସା ପତ୍ର ଓ ଧାନ ମଧ୍ୟ ଦେଇଥାନ୍ତି । ଚାଷୀମାନେ ଚାଷ କାର୍ଯ୍ୟ କରି ପୌଷ ପୂର୍ଣ୍ଣମୀ ଦିନକୁ ଚାଷର ଶେଷ ଦିନ ଭାବି ଗୌନ୍ତିଆ, ପ୍ରଜା, ହଳିଆ, ମୁଲିଆ, ଶ୍ରମିକମାନେ ମିଶି ମୌଜ ମଜଲିସ ଆନନ୍ଦ ଉତ୍ସାହର ସହ ଭୋଜି ଭାତର ଆସର କରିଥାନ୍ତି, ଏହି ଦିନରେ ପ୍ରତ୍ୟେକ ଘରେ ପିଠା ପଣା, ମଣ୍ଡା ତିଆରି କରି ଖୁସି ମାନଇଥାନ୍ତି । ପଶ୍ଚିମ ଓଡ଼ିଶାର ଏଭଳି ଏକ ଅନ୍ୟତମ କୃଷି ଭିତ୍ତିକ ପର୍ବ ପୌଷ ପୂର୍ଣ୍ଣିମାକୁ ରାଜ୍ୟ ସରକାର କୋଶଳାଞ୍ଚଳର ଦୁଇ କୋଟି ଜନସାଧାରଣଙ୍କ ପ୍ରତି ଅନ୍ୟାୟ କରି, କୋଶଳାଞ୍ଚଳର ଦୁଇ କୋଟି ଚାଷୀ ମାନଙ୍କ ପ୍ରତି ଅନ୍ୟାୟ କରି ଏହି ଦିନକୁ ସରକାରୀ କେଲେଣ୍ଡରରେ ଛୁଟି ଘୋଷଣା ନକରିବା ସମସ୍ତଙ୍କ ମନରେ ଗଭୀର ଆଘାତ ଦେଇଛି । ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡ଼ିଶା ପର୍ବ ପର୍ବାଣି, ଜାନିଯାତ୍ରା, ସଂସ୍କୃତି ପରମ୍ପରା, ଐତିହ୍ୟ ଉପରେ କୁଠାରଘାତ କରି ଆସୁଛି ବୋଲି ଅଞ୍ଚଳବାସୀ ନିନ୍ଦା କରୁଛନ୍ତି । ସବୁବେଳେ ପଶ୍ଚିମ ଓଡିଶା ପ୍ରତି କାହିଁକି ଏହି ଅବହେଳା, ପାତର ଅନ୍ତର ବୋଲି କୋଶଲ୍ ରାଏଜ୍ ମୁକ୍ତି ମୋର୍ଚ୍ଚା ପ୍ରଶ୍ନ କରିଛି । ପୌଷ ପୂର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା ସହ ଆସନ୍ତା ବର୍ଷକୁ ସରକାରୀ କ୍ୟାଲେଣ୍ଡରରେ ଛୁଟି ତାଲିକାରେ ସ୍ଥାନ ଦେବାକୁ ଆଜି ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ କୋଶଲ୍ ରାଏଜ୍ ମୁକ୍ତି ମୋର୍ଚ୍ଚା ଦାବିପତ୍ର ପ୍ରଦାନ କରିଛି । ଦାବିପତ୍ର ଦେବା ସମୟରେ କୋଶଲ୍ ରାଏଜ୍ ମୁକ୍ତି ମୋର୍ଚ୍ଚାର ଉପଖଣ୍ଡ ସଭାପତି ଗିରିରାଜ ଭୋଇ, ସମ୍ପାଦକ ଜଗନ ମେହେର, ପ୍ରବକ୍ତା ଜନସନ ନାଗ, ଯୁଗଳ ମେହେର, ମଦନ ମାଝୀ, କ୍ଷୀରୋଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post
Next Post