ଜେ.ଏସ୍‌.ଏମ୍‌. କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେ.ଏସ୍‌.ଏମ୍‌. କଲେଜର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । କଲେଜ ପରିସରରେ ଆୟୋଜିତ ଏହି ଉତ୍ସବ କଲେଜର ନିର୍ଦ୍ଦେଶକ ସି.ଏ. ଶ୍ରୀକାନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଉତ୍ସବ ଅବସରରେ ଶିକ୍ଷା, ସଂସ୍କୃତି ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ଶିକ୍ଷାବିତ୍‌ ତଥା ବଲାଙ୍ଗିର ନାଗରିକ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେ ତାଙ୍କ ଭାଷଣରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କଲେଜର ଶିକ୍ଷାତ୍ମକ ଯାତ୍ରା, ମୂଲ୍ୟବୋଧ ଓ ସଫଳତା ବିଷୟରେ ଆଲୋକପାତ କରିଥିଲେ । ଏଥି ସହ ଉପସ୍ଥିତ ସମସ୍ତ ଅତିଥିଙ୍କ ପରିଚୟ ମଧ୍ୟ ସୁସ୍ପଷ୍ଟ ଭାବରେ ପ୍ରଦାନ କରିଥିଲେ । ଏହାପରେ କଲେଜର ଅଧ୍ୟକ୍ଷା ମନସ୍ମିତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସେ ଗତ ଶିକ୍ଷାବର୍ଷରେ କଲେଜ ପକ୍ଷରୁ ହୋଇଥିବା ବିଭିନ୍ନ ଶିକ୍ଷାତ୍ମକ, ସାଂସ୍କୃତିକ, କ୍ରୀଡା ଓ ସାମାଜିକ କାର୍ଯ୍ୟକଳାପ ବିଷୟରେ ତଥ୍ୟ ରଖିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଉନ୍ନତି, ଶିକ୍ଷକମାନଙ୍କ ନିଷ୍ଠା ଓ କଲେଜର ଭବିଷ୍ୟତ ଯୋଜନା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ସଭା ସଂଯୋଜନାର ଦାୟିତ୍ୱ ଏ.ବି. ରାମ ଲିପ୍ସା ସୁଚାରୁ ଭାବରେ ନିର୍ବାହ କରିଥିଲେ । ଦିବସର ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଅରବିନ୍ଦ କୁମାର ଓଝା ଯୋଗଦାନ କରିଥିଲେ । ତାଙ୍କ ଉଦ୍‌ବୋଧନୀ ଭାଷଣରେ ସେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ମୂଲ୍ୟାଧାରିତ ଶିକ୍ଷା ଓ ଜୀବନ ଗଠନରେ ଶିକ୍ଷାର ଭୂମିକା ଉପରେ ଗଭୀର ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ହୃଦୟକୁ ଛୁଇଁ ପାଠ ପଢ଼ାଇବା ଶିକ୍ଷକମାନଙ୍କର ମୁଖ୍ୟ ଦାୟିତ୍ୱ ବୋଲି ଡା. ଓଝା କହିଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିଉଠିଲେ ଶିକ୍ଷାର ମାନ ଆହୁରି ଉନ୍ନତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଜୟପୁର ସ୍ଥିତ ବିକ୍ରମଦେବ ୟୁନିଭର୍ସିଟିର କମର୍ସ ବିଭାଗ ମୁଖ୍ୟ ଡା. ଦେବଦତ୍ତ ଇଣ୍ଡୋରିଆ ଯୋଗଦାନ କରିଥିଲେ । ସେ ତାଙ୍କ ଭାଷଣରେ ଶିକ୍ଷା ସହ ଜଡ଼ିତ ଥିବା ଅନେକ ମହାମନିଷୀଙ୍କ ଜୀବନ ଓ ଅବଦାନ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଶିକ୍ଷା କେବଳ ଡିଗ୍ରୀ ପାଇବାର ମାଧ୍ୟମ ନୁହେଁ, ବରଂ ଜୀବନକୁ ସଠିକ୍ ଦିଗରେ ନେଇଯିବାର ଏକ ସାଧନ ବୋଲି ସେ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ୱରାଜ ହସ୍ପିଟାଲର ପ୍ରତିଷ୍ଠାତା ଡା. ସୁଜ୍ଞାନେନ୍ଦ୍ର ମିଶ୍ର, ଜେ.ଏସ୍‌.ଏମ୍‌. କଲେଜର ନିର୍ଦ୍ଦେଶକ ପୀତବାସ ପଣ୍ଡା, ଟିଟିଲାଗଡ ଡିଏଭି ଅଟୋନମସ କଲେଜର କମର୍ସ ବିଭାଗ ମୁଖ୍ୟ ଡା. କେ. ଦେବୀ ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଏଜିଏମ୍‌ ଡା. ଅଶୋକ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସେମାନେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ନିଷ୍ଠା, ଆତ୍ମବିଶ୍ୱାସ ଓ ନିରନ୍ତର ପରିଶ୍ରମ ସହ ଅଧ୍ୟୟନ କଲେ ସଫଳତା ନିଶ୍ଚିତ ଭାବେ ମିଳିବ ବୋଲି ପ୍ରେରଣା ଦେଇଥିଲେ । ଏହି ଅବସରରେ ଡା. ସୁଜ୍ଞାନେନ୍ଦ୍ର ମିଶ୍ର, ଦିଲୀପ ଧଳ ଏବଂ ମୟ ପଧାନୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପୂର୍ବରୁ କଲେଜ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ନୃତ୍ୟ, ସଙ୍ଗୀତ ଓ ନାଟ୍ୟ ପରିବେଷଣ ଦ୍ୱାରା ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ସଫଳ ଆୟୋଜନ ସହ ଜେ.ଏସ୍‌.ଏମ୍‌. କଲେଜର ବାର୍ଷିକ ଉତ୍ସବ ସମାପ୍ତି ହୋଇଥିଲା, ଯାହା ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଗଲା ।

Leave A Reply

Your email address will not be published.