ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକ ପରିସରରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଯୋଗ ଦେଇ ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୪୨ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୨୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୧୬ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏହି ସବୁ ଅଭିଯୋଗ ଗୁଡ଼ିକ ମଧ୍ୟରୁ ୫ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା । ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୪ ଗୋଟି ଆବେଦନ ରହିଥିଲା । ଆଜିର ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।