- ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି
- ୪୦ ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି
- ୮୦ ବର୍ଷରୁ ଅଧିକ କଳାକାରଙ୍କ ଭତ୍ତା ହେଲା ମାସକୁ ୩୫୦୦
- ଉପକୃତ ହେବେ ୪୭,୭୦୪ କଳାକାର
ଭୁବନେଶ୍ୱର : ୨୮ ଡିସେମ୍ବର ୨୦୨୫ ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାକାରମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି । ଆଜି କେନ୍ଦୁଝରର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାରମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାରମାନଙ୍କ ଭତ୍ତା ବୃଦ୍ଧି ହୋଇଛି । ଏହି ନିଷ୍ପତ୍ତି ଅନୁଯାୟୀ ୪୦ ରୁ ୮୦ ବର୍ଷ ବୟସ୍କ କଳାକାରମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାରମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ଦ୍ୱାରା ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ ।