- ଦାଦନ ସର୍ଦ୍ଦାର ଗିରଫ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ ସମୟରେ ଗମ୍ଭାରୀ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ କିଛି ସନ୍ଦେହଜନକ ଲୋକଙ୍କୁ ଠିଆ ହୋଇଥିବା ଦେଖି ପଚରାଉଚରା କରିଥିଲା । ତଦନ୍ତ କାଳେ ଜଣାପଡ଼ିଥିଲା ଯେ, ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ଦାଦନ ସର୍ଦ୍ଦାର ସୁମନ୍ତ ଭୁଏ ସେମାନଙ୍କୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟବାଡା ଅଞ୍ଚଳସ୍ଥ ଏକ ଇଟାଭାଟିକୁ ଦାଦନ ଖଟିବା ପାଇଁ ଚୋରା ଚାଲାଣ କରୁଥିଲା । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା ଏବଂ ୩ ଜଣ ନାବାଳକ ଥିବା ବେଳେ, ସେମାନେ ସମସ୍ତେ ବେଲପଡା ବ୍ଲକର ଗମ୍ଭାରୀ ଗ୍ରାମର ବୋଲି ଚିହ୍ନଟ ହୋଇଛନ୍ତି । ଖପ୍ରାଖୋଲ ପୋଲିସ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ତାଙ୍କ ନିଜ ଗାଁକୁ ପଠାଇ ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପଟେ, ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଦାଦନ ସର୍ଦ୍ଦାର ସୁମନ୍ତ ଭୁଏକୁ ଖପ୍ରାଖୋଲ ଥାନା କେସ ନଂ ୩୦୦/୨୦୨୫ ଧାରା ୧୪୩(୩)/୧୪୬/୩୧୮(୪) ବିଏନ୍ଏସ୍ ଏବଂ ୨୫ ଆଇଏସ୍ଏମ୍ଡବ୍ଲ୍ୟୁ ଆକ୍ଟ ଅନୁଯାୟୀ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବା କେସ୍ର ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି ।