csstore

ଡ.ଏ.ଏନ୍.କେ ଡିଏଭି ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡ.ଏ.ଏନ୍.କେ ଡିଏଭି ପବ୍ଲିକ ସ୍କୁଲର ୩୩ତମ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବୀର ବାଲ ଦିବସ ଉପଲକ୍ଷେ ଡି.ଏ. ଭି ସ୍କୁଲ ସମୂହ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଗୁରୁ ଗୋବିନ୍ଦ ସିଂଙ୍କ ଦୁଇ ପୁତ୍ର ଜୋରାବର ସିଂ ଏବଂ ବାବା ଫତେ ସିଂଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାପରେ କ୍ରୀଡା ଉତ୍ସବର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ଅଧ୍ୟକ୍ଷ ନିଜର ଅଭିଭାଷଣରେ ସ୍କୁଲର କ୍ରୀଡାର ଭିତ୍ତିଭୂମି ତଥା ପିଲାମାନଙ୍କ ଖେଳ ପ୍ରତି ପ୍ରତିବନ୍ଧତା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ମୁନସିପାଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍, ସମାଜ ସେବୀ ଡ. ସନାତନ ପ୍ରଧାନ ଯୋଗଦେଇ ପିଲାମାନେ ଶିକ୍ଷାସହିତ କ୍ରୀଡ଼ାକୁ ମଧ୍ୟ ସମ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବାସହ ଏଥିରେ ଅଭିଭାବକ ମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ଲୋକାଲ୍ ମ୍ୟାନେଜିଂ କମିଟିର ସଦସ୍ୟ ଏସ୍.କେ ଯୋଶୀ, ରାଜେଶ ମାଲହୋତ୍ରା, ମାଡାମ ମାନସୀ ପ୍ରଧାନ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଆନ୍ତର୍ଜାତୀୟ ଆଥେଲେଟ ନିଖିଲ କଳାକାର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଷ୍ଠା ଓ ଏକାଗ୍ରତାର ସହ ଯେକୌଣସି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ଭାବେ ହାସଲ ହୁଏ, ଏବଂ ହାର୍ ଜିତ୍‌ର ମନୋଭାବ ନ ରଖି ସମସ୍ତ ବାଧାବିଘ୍ନକୁ ପ୍ରତିହତ କରି ସଫଳତାକୁ ହାସଲ କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜାତୀୟ ସ୍ତରର ଫୁଟବଲ ଖେଳାଳି ସଞ୍ଜୟ ବେବୁତା । ପିଲାମାନେ ଚପଳମତି ବୟସରେ ଖେଳପ୍ରତି ଆକୃଷ୍ଟ ହେଲେ ସେମାନଙ୍କୁ ନିଜର ଲମ୍ବା କ୍ୟାରିୟର କରିବାକୁ ଏକ ବଡ଼ ସୁଯୋଗ ମିଳିଥାଏ, ସେଥିପାଇଁ ଅଭିଭାବକ ମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତଦେବା ସହ ଫୁଟବଲରେ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନଙ୍କୁ ସେ ବିନା ଶୁକ୍ଳରେ ତାଙ୍କ କ୍ୟାମ୍ପରେ ଯୋଗ ଦେବାପାଇଁ ଆହ୍ୱାନ ଦେଇଥିଲେ । ସ୍କୁଲର କ୍ରୀଡା ଶିକ୍ଷକ ଦୁଷ୍ମନ୍ତ ବେହେରା, ଶିକ୍ଷୟିତ୍ରୀ ମିନତୀ ପାତ୍ରତଥା ଶିକ୍ଷକ ସତ୍ୟବ୍ରତ ତ୍ରିପାଠୀ ଏହି କ୍ରୀଡା ଉତ୍ସବର ପରିଚାଳନା କରିଥିବା ବେଳେ ସଂଯୋଜକ ବିଜୟ କୁମାର ମିଶ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ । ଏହି କ୍ରୀଡା ଉତ୍ସବରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଉତ୍ସବର ସମାପନ କରାଯାଇଥିଲା ।

jayashree
Leave A Reply

Your email address will not be published.