ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମା’ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଛତୁଚାଷ ଉଦ୍ୟୋଗୀଙ୍କ ଏକ ସାଂଗଠାନିକ ବୈଠକ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାନ କୃଷି ଯୋଜନାରେ ସ୍ଥାନ ପାଇଥିବା ଛତୁଚାଷ ଏକ ଲାଭଜନକ ବ୍ୟବସାୟ ଅଟେ । ଏହାକୁ ଗଞ୍ଜାମ ଜିଲ୍ଲାରେ ବହୁଳ ପ୍ରଚାର ପ୍ରସାର ଓ ଜନସଚେତନତା କରାଯାଇ ଛତୁଚାଷର ଉତ୍ପନ୍ନ କରାଯାଇ ଏହାର ଆଦର ଓ ଚାହିଦା ବୃଦ୍ଧି କରିବା ନିମନ୍ତେ ସଭା ସମିତି ମାଧ୍ୟମରେ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଏହାକୁ ଯେପରି ବାହାରକୁ ବଜାର ନିୟନ୍ତ୍ରଣ କରିବା ସହ ବହୁଳ ପରିମାଣରେ ଉତ୍ପନ କରାଯାଇ ଲୋକାଭିମୁଖୀ କରି ପ୍ରତିଟି ଉଦ୍ୟୋଗୀଙ୍କୁ ସ୍ଵବାଲମ୍ବନଶୀଳ କରାଇବା ଆବଶ୍ୟକ । ତେବେ ହେଲେ ଅଧିକରୁ ଅଧିକ ଉଦ୍ୟୋଗୀମାନେ ରୋଜଗାରକ୍ଷମ ହୋଇପାରିବେ । ଉଦ୍ୟାନ କୃଷି ଯୋଜନାରେ ଛତୁଚାଷକୁ ଗୁରୁତ୍ତ୍ୱ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଛତୁଚାଷକୁ ଆର୍ଥିକ ସହାୟତା ଯୋଗାଇ ଛତୁଚାଷୀଙ୍କୁ ପୂର୍ଣ୍ଣ ଅଗ୍ରାଧିକାର ଭିତ୍ତିରେ ସକ୍ରୀୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଧ୍ୟକ୍ଷ ଅଦ୍ଵୈତ କୁମାର୍ ପାତ୍ର (ଭୁବନେଶ୍ୱର), ମହାସଂଘର ଉପସଭାପତି ସନ୍ତୋଷ କୁମାର ମିଶ୍ର (ଭୁବନେଶ୍ୱର), ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ (ଭୁବନେଶ୍ୱର), ବିଭୁଦାନନ୍ଦ ମିଶ୍ର (ପୁରୀ) ପ୍ରମୁଖ ଯୋଗଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ସଫଳ ଉଦ୍ୟୋଗୀ ତ୍ରିଲୋଚନ ଖଣ୍ଡୁଆଳ, ଚନ୍ଦ୍ର କାନ୍ତି ମହାନ୍ତିଙ୍କ ସମେତ ଗଞ୍ଜାମ ଜିଲ୍ଲାର ୬ଟି ବ୍ଲକରୁ ଛତୁ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ଵ କରିଥିଲେ । ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ସମାଜସେବୀ (ମିଶନଶକ୍ତି) ଛତୁ ଉଦ୍ୟୋଗୀ ଶକୁନ୍ତଳା ପାତ୍ର ଏବଂ ଗଞ୍ଜାମ ବ୍ଲକର କରପଡା ଗ୍ରାମର ବାସିନ୍ଦା ଛତୁ ଉଦ୍ୟୋଗୀ ଦିବାକର ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ସଭା ମଞ୍ଚରେ ଉପଢୌକନ ସହ ଉପହାର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗମୀ ଦିନରେ ହେବାକୁ ଥିବା ଛତୁଚାଷର ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ନିମନ୍ତେ ପଦକ୍ଷେପ ସହ ସମଗ୍ର ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ଛତୁ ଉଦ୍ୟୋଗୀଙ୍କୁ ସୃଷ୍ଟି କରିବା ନିମନ୍ତେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଧ୍ୟକ୍ଷ ଅଦ୍ଵୈତ କୁମାର ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।
Next Post