ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅସ୍ଥାୟୀ ଭାବେ ହାତୀଶାଲ ଠାରେ ନିର୍ମାଣ ହେଉଥିବା ନୂତନ ବସଷ୍ଟାଣ୍ଡକୁ ଅଚାନକ ଗସ୍ତ କରିବା ସହ ସ୍ଥିତି ପରଖିଛନ୍ତି । ଗତ ସପ୍ତାହରେ ଜିଲ୍ଲାପାଳ ମେଡିକାଲର ସମସ୍ତ ବିଭାଗର ସମୀକ୍ଷା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଅବସ୍ଥାରେ ଥିବା ଶହେରୁ ଉର୍ଦ୍ଧ ସିସି ଟିଭି, ଲିଫ୍ଟ ଓ ଅକ୍ସିଜେନ ପ୍ଲାଣ୍ଟର ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଆଜି ଗସ୍ତରେ ମେଡିକାଲ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଆଜି ଅଚଳ ଥିବା ୩ ଗୋଟି ଲିଫ୍ଟ, ସମସ୍ତ ସିସି ଟିଭି କାମ ମରାମତି ଚାଲିଥିବା ବିଷୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାପାଳ ଡକ୍ଟର ସାହୁ ଆଜି ଅସ୍ଥାୟୀ ବସଷ୍ଟାଣ୍ଡର ସ୍ୱଚ୍ଛତା, ସୁରକ୍ଷା, ଅଲୋକିକରଣ ଓ ଟଏଲେଟ୍ ବ୍ୟବସ୍ଥାର କାର୍ଯ୍ୟ ତଦାରଖ କରିଥିଲେ ଏବଂ ଏଡିଏମ୍ ରାଜେନ୍ଦ୍ର ମାଝୀ, ପୌର ପରିଷଦ ଅଧିକାରୀ ୠଷିଙ୍କ ସହ ସ୍ପଟରେ ଏହି ସବୁ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଡ଼. ସାହୁ ଯୋଗ ଦେବା ପରେ ନୂତନ ଡ଼ାକ୍ତରଖାନାକୁ ପ୍ରତି ମାସରେ ଦୁଇ ତିନି ଥର ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ସହ ଲୋକଙ୍କ ସମସ୍ୟା ବୁଝି ସେ ସବୁର ସମାଧାନ କରି ଆସୁଥିବାରୁ ସେଠାରେ ଥିବା ଜନସାଧାରଣ ତଥା ଜିଲ୍ଲାର ବୁଦ୍ଧିଜିବୀ ପ୍ରଶଂସା କରିଛନ୍ତି ।