ବିହିବନ୍ଧ ଗାଁରେ ଏସ୍‌ଏଚ୍‌ଜି ମେଳା : ପୋଷକ ଖାଦ୍ୟ ସଚେତନତାର ସଫଳ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳରେ ପୋଷଣ ସଚେତନତା ବୃଦ୍ଧି କରିବା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କୌଶଳ ଓ ସୃଜନଶୀଳତାକୁ ଆଗକୁ ଆଣିବା ଉଦ୍ଦେଶ୍ୟରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମ ପଞ୍ଚାୟତର ବିହିବନ୍ଧ ଗାଁରେ ଏକ ବିଶାଳ ଏସ୍‌ଏଚ୍‌ଜି ମେଳା ସହିତ ଖାଦ୍ୟ ଷ୍ଟଲ୍ ଓ ଫୁଡ୍‌ ଶୋ ସଫଳତାର ସହିତ ଆୟୋଜନ କରାଯାଇଛି । ଏହି ମେଳାର ମୂଳ ଲକ୍ଷ୍ୟ ଥିଲା—ପରିବାରର ଦୈନନ୍ଦିନ ଖାଦ୍ୟଥାଳିରେ ବିବିଧତା ଆଣି ପୋଷକ ଖାଦ୍ୟର ଗୁରୁତ୍ୱ ସମ୍ବନ୍ଧରେ ଗ୍ରାମବାସୀଙ୍କୁ ସଚେତନ କରାଇବା । ଦୀର୍ଘଦିନ ଧରି ଏକପ୍ରକାର ଖାଦ୍ୟାଭ୍ୟାସରୁ ସୃଷ୍ଟି ହେଉଥିବା ପୋଷଣ ଅଭାବକୁ ଦୂର କରିବା ପାଇଁ ଏପରି ଲୋକସମ୍ପୃକ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ମେଳାରେ ୧୨ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ଦେଶୀ ଧାନ, ମାଣ୍ଡିଆ, ବିଭିନ୍ନ ଡାଲି, ଶାଗ, ପନିପରିବା, ଅମୃତଭଣ୍ଡା , ସଜନା ଆଦିରେ ସମୃଦ୍ଧ ପାରମ୍ପରିକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଏହା ଦ୍ୱାରା ଗ୍ରାମବାସୀମାନେ କମ୍ ଖର୍ଚ୍ଚରେ କିପରି ସୁସ୍ଥ ଓ ପୋଷକ ଖାଦ୍ୟ ପ୍ରସ୍ତୁତ କରିହେବ, ସେଥିପାଇଁ ପ୍ରେରିତ ହୋଇଥିଲେ । ଖାଦ୍ୟ ପ୍ରଦର୍ଶନୀକୁ ସ୍ୱାଦ, ପୋଷକ ତତ୍ତ୍ୱ, ସ୍ୱଚ୍ଛତା ଓ ପ୍ରସ୍ତୁତି ପ୍ରଣାଳୀ ଆଧାରରେ ମୂଲ୍ୟାୟନ କରାଯାଇଥିଲା । ମୂଲ୍ୟାୟନ ପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରଥମ ତିନିଟି ଏସ୍‌ଏଚ୍‌ଜିକୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା । ଯାହା ଅନ୍ୟ ଗୋଷ୍ଠୀମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଥିଲା । କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନ୍‌ର ବରିଷ୍ଠ ପ୍ରବନ୍ଧକ ସୁଶାନ୍ତ ଦାସ ଓ ହୃଷୀକେଶ ସାହୁ ପୋଷଣ ଓ ସୁସ୍ଥ ଜୀବନଶୈଳୀ ଉପରେ ଆଲୋକପାତ କରି ମହିଳାମାନଙ୍କୁ ଘରୋଇ ଖାଦ୍ୟରେ ସ୍ଥାନୀୟ ଉପାଦାନ ବ୍ୟବହାର ପାଇଁ ଆହ୍ୱାନ କରିଥିଲେ । ପ୍ରକଳ୍ପ ପ୍ରବନ୍ଧକ ଶାନ୍ତୁନୁ କୁମାର ମେହେର ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ସହ ପୋଷଣ ସୁରକ୍ଷା ସମ୍ଭବ ବୋଲି କହିଥିଲେ । ଏହି ଅବସରରେ କ୍ଲଷ୍ଟର କୋର୍ଡିନେଟର ବୈକୁଣ୍ଠ କ୍ଷେତି, ବାହାଦୂର ଷାଣ୍ଢ ଆଶା ଦିଦି ଶ୍ରୀମତୀ ବବିତା ବିଶ୍ୱାଳ, ଭିଡିସି ସମ୍ପାଦକ ପ୍ରେମାନନ୍ଦ ସାହୁ, ଭିଡିସି ସଭାପତି ଆଲେଖ ସୁନା, ଭିଡିସି ସଦସ୍ୟ ସୂର୍ଯ୍ୟକାନ୍ତ ସାହୁ ଓ ଲଲିତମୋହନ ସାହୁ ମଧ୍ୟ ନିଜ ମତାମତ ରଖି ଏପରି ସଚେତନତାମୂଳକ କାର୍ଯ୍ୟକ୍ରମକୁ ନିୟମିତ ଆୟୋଜନ କରିବା ପାଇଁ ଆହ୍ୱାନ କରିଥିଲେ । ମେଳାରେ ଶତାଧିକରୁ ଅଧିକ ମହିଳା-ପୁରୁଷ, କିଶୋର କିଶୋରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପୋଷକ ଖାଦ୍ୟ ପ୍ରତି ଆଗ୍ରହ ଓ ସଚେତନତା ବୃଦ୍ଧି ପାଇଥିବା ଦୃଶ୍ୟ ଦେଖାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ମହାଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଏପରି ପୋଷଣମୂଳକ ଓ ମହିଳା କେନ୍ଦ୍ରିତ କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନ୍ୟ ଗ୍ରାମଗୁଡ଼ିକରେ ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.