ବଲାଙ୍ଗିର, (କେପିଏନ୍ଏସ୍) : ଆଗାମୀ ପୀଢ଼ିକୁ ଗଢିବାକୁ, ସେମାନଙ୍କ ଭିତରେ ସୃଜନ ଭାବ, ସଚେତନତା ସୃଷ୍ଟି ପାଇଁ ସାହିତ୍ୟ ଏକ ବଳିଷ୍ଠ ମାଧ୍ୟମ । ଦ୍ୱନ୍ଦ୍ୱାତ୍ମକ ଜୀବନରେ ଉଚିତ ମାର୍ଗ ଅନ୍ୱେଷଣ ପାଇଁ ମଧ୍ୟ ସାହିତ୍ୟ ଆମକୁ ପ୍ରେରଣା ଦିଏ ବୋଲି ମତ ଦେଇଛନ୍ତି ବହୁ ବିଶିଷ୍ଟ ବକ୍ତା । ବଲାଙ୍ଗିର ବ୍ଲକର ସଭାଗୃହ ଠାରେ କବୟିତ୍ରୀ ତଥା ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ରଙ୍କ ଦୁଇଟି କବିତା ସଂକଳନର ପାଠକାର୍ପଣ ଅବସରରେ ଏହି ମତ ପ୍ରକାଶ ପାଇଛି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବଲାଙ୍ଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷିକେଶ ଗଣ୍ଡ, ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ସମ୍ମାନିତ ଅତିଥି, ଶ୍ରୀମତୀ ବିନୋଦିନୀ ମିଶ୍ର ସ୍ୱତନ୍ତ୍ର ଅତିଥି, ତଥା କବି ଅଧ୍ୟାପକ ସନ୍ଦୀପ କୁମାର କୁଅଁର ମୁଖ୍ୟବକ୍ତା ଭାବରେ ଯୋଗଦେଇ କବୟିତ୍ରୀ ତଥା ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ରଙ୍କ ଦୁଇଟି କବିତା ସଂକଳନ ‘ମନ ମନ୍ଦିର’ ଓ ‘ଶିଶୁ ରତନ’କୁ ଲୋକାର୍ପିତ କରି ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ରଙ୍କ କାବ୍ୟ ପ୍ରତିଭାର ବିଭିନ୍ନ ଦିଗ ସମ୍ପର୍କରେ ମତ ଦେଇଥିଲେ । କବୟିତ୍ରୀ ଶ୍ରୀମତୀ ମିଶ୍ର ନିଜର ଭାବ ସମ୍ବେଦନଶୀଳତାକୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପିତ କରି ବକ୍ତବ୍ୟ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରିୟା ପରିମିତା ମିଶ୍ର ଓ ସୁଶ୍ରୀ ସଂପୂର୍ଣ୍ଣା ଅଗସ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବି ଦିଲ୍ଲୀପ ମିଶ୍ର ସଭା ସଂଯୋଜନା କରିଥିବା ବେଳେ କବୟିତ୍ରୀ କବିତା ମିଶ୍ର ସମସ୍ତଙ୍କୁ ସ୍ୱାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ରତ୍ନମୟ ତ୍ରିପାଠୀ ଭକ୍ତି କବିତା ସଂକଳନ ମନମନ୍ଦିରକୁ ସମୀକ୍ଷା କରିଥିବାବେଳେ କବି ମଦନ ମୋହନ ରଥ ଶିଶୁ କବିତା ସଂକଳନ ଶିଶୁ ରତନକୁ ସମୀକ୍ଷା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କବି କଣ୍ଡୁରୀ ଚରଣ ରାଉତ ଓ ଡ଼. ଧର୍ମେନ୍ଦ୍ର ପଧାନ ବକ୍ତବ୍ୟ ପ୍ରଦାନ କରିଥିଲେ । ସଦାଇପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପ୍ରିୟା ସେଠ, ସ୍ୱାତୀ ସେଠ, ରୀତିକା ସାଏ ଓ ସୋନପରି ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଶ୍ରୀମତୀ ପୂଜା ଆରାଧନା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଦାଇପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅନେକ ଛାତ୍ରୀ ମଧ୍ୟ ସଭା ଶେଷ ପର୍ଯ୍ୟନ୍ତ ରହିଥିଲେ ।