
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଂଲାଦେଶର ମୈମନସିଂହରେ ହିନ୍ଦୁ ଗାର୍ମେଣ୍ଟ ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟା ଏବଂ ମହମ୍ମଦ ୟୁନୁସଙ୍କ ଶାସନ କାଳରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ବିରୋଧରେ ଆଜି ବିଏଚ୍ପି ପ୍ରତିବାଦରେ ପ୍ରକମ୍ପିତ ହୋଇଛି । ରାୟଗଡା ସହରବାସୀଙ୍କ ସମେତ ସମସ୍ତ ବ୍ୟବସାୟିକ ଓ ବୈଷୟିକ ସଂଗଠନ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ମାତୃଶକ୍ତି ଏବଂ ଦୁର୍ଗାବାହିନୀ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ସକାଳୁ ରାୟଗଡ଼ା ସହରର ଜଗନ୍ନାଥ ମନ୍ଦିରରେ ଶତାଧିକ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ । ହାତରେ ଗେରୁଆ ପତାକା ଏବଂ ବାଂଲାଦେଶ ସରକାର ବିରୋଧୀ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ । “ବାଂଲାଦେଶରେ ହିନ୍ଦୁ ହତ୍ୟା ବନ୍ଦ କର”, “ଦୀପୁ ଦାସଙ୍କ ହତ୍ୟାକାରୀଙ୍କୁ ଫାଶୀ ଦିଅ” ଭଳି ସ୍ଲୋଗାନରେ ସହରର ଗଳିକନ୍ଦି ପ୍ରକମ୍ପିତ ହୋଇଥିଲା । ଦୀପୁ ଚନ୍ଦ୍ର ଦାସଙ୍କ ପାଇଁ ନ୍ୟାୟ ଦାବି କରି ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ, ମାତ୍ର ୨୫ ବର୍ଷର ଯୁବକ ଦୀପୁ ଦାସଙ୍କୁ ମିଥ୍ୟା ଈଶ୍ୱର ନିନ୍ଦା ଅଭିଯୋଗରେ ଜଣେ ସହକର୍ମୀଙ୍କ ଉସୁକାଇବା ପରେ ଉଗ୍ରବାଦୀମାନେ ପିଟି ପିଟି ହତ୍ୟା କଲେ ଏବଂ ତାଙ୍କ ଶରୀରକୁ ଗଛରେ ବାନ୍ଧି ନିଆଁ ଲଗାଇ ଦେଲେ । ଏହି ବର୍ବରୋଚିତ କାଣ୍ଡ ବିରୁଦ୍ଧରେ ପରିଷଦ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସଭାକୁ ସମ୍ବୋଧିତ କରି ସ୍ଥାନୀୟ ନେତୃବୃନ୍ଦ କହିଛନ୍ତି ଯେ, ସନାତନ ଧର୍ମ ଶାନ୍ତି ଶିଖାଏ, କିନ୍ତୁ ଆମ ଭାଇ-ଭଉଣୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଆମେ ଆଉ ସହିବୁ ନାହିଁ । ଯଦି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି । ଶେଷରେ ରାୟଗଡା ରେଳ ଷ୍ଟେସନ ଠାରେ ପହଂଚି ସ୍ୱର୍ଗତ ଦିପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା