ଦିନ ଦି ପହରରେ ପୋଲିସକୁ ଦୁର୍ବୁତ୍ତଙ୍କ ଖୋଲା ଚାଲେଞ୍ଜ : ରାଜ ପରିବାରର ଘର ମାଲିକଙ୍କୁ ହ୍ୟାଣ୍ଡ୍‌କ୍ୟାପ୍‌ ପକାଇ ନଗଦ ଟଙ୍କା ଓ ସୁନା ଲୁଟିନେଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି । ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କାର ଯାଞ୍ଚ କରାଯିବ । ଏଭଳି ଧମକ ଦେଇ ଘରେ ପଶିବା ପରେ ଘର ମାଲିକଙ୍କୁ ହ୍ୟାଣ୍ଡ୍‌କ୍ୟାପ୍‌ ପକାଇ ଓ ଅନ୍ୟ ସଦସ୍ୟଙ୍କୁ କଡା ନଜରବନ୍ଦୀରେ ରଖି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ କାଳେ ଧରାପଡ଼ିଯିବା ଭୟରେ ଘରେ ଲାଗିଥିବା ସିସି କ୍ୟାମେରାର ଡିଜିଟାଲ ଭିଡିଓ ରେକର୍ଡର (ଡିଭିଆର) ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୃତ୍ତ ମାନେ ସାଥିରେ ନେଇ ଯାଇଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ଭୟର ବାତାବରଣ ଦେଖାଯାଇଛି । ଏଭଳି ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ବଜାରରେ ରହୁଥିବା ରାଜ ପରିବାରରେ ଘଟିଛି । ରାଜ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବିଷୟ ରାଜ ପରିବାରର ସଞ୍ଜୀବ କୁମାର ଦେଓ କହିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ଗଦାପୁରର ରାଜପରିବାରର ମୁଖ୍ୟ ସୀମାଦ୍ରୀ ଦେଓ ଓ ତାଙ୍କ ପୁଅ ସଞ୍ଜୀବ, ବୋହୂ ମମତା ଓ ତାଙ୍କ ପୁଅଙ୍କ ୨ ସନ୍ତାନ ରହୁଛନ୍ତି । ମଧ୍ୟାହ୍ନରେ ସଞ୍ଜୀବ କୌଣସି କାର୍ଯ୍ୟରେ ବାହାରକୁ ଯିବା ପରେ ୩ଟି ବାଇକରେ ୫ ଜଣ ବ୍ୟକ୍ତି ସଞ୍ଜୀବଙ୍କ ଘରେ ପହଞ୍ଚିଥିଲେ ଓ ନିଜକୁ ଦୁର୍ନୀତି ନିବାରଣ ଅଧିକାରୀ କହିଥିଲେ । ସଞ୍ଜୀବଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ସଞ୍ଜୀବଙ୍କ ବୃଦ୍ଧ ବାପା ସୀମାଦ୍ରୀ ଓ ସ୍ତ୍ରୀ ମମତା ରହିଥିଲେ । ଏହି ସମୟରେ ସୀମାଦ୍ରୀ କହିଲେ, ଆମେ କଣ ଦୁର୍ନୀତି କରିଛୁ ଯେ ଆପଣମାନେ ଆସିଛନ୍ତି କହିବାରୁ ଦୁର୍ବୃତ୍ତମାନେ ସୀମାଦ୍ରୀଙ୍କୁ ଠେଲି ଠେଲି ତାଙ୍କ ଘର ଭିତରକୁ ନେଇଥିଲେ ଓ ଘର ଭିତରେ ତାଙ୍କ ହାତକୁ ପଛକୁ କରି ହାତକଡ଼ି ପକାଇ ଦେଇଥିଲେ । ବୋହୂଙ୍କୁ ଏବଂ ତାଙ୍କ ବାଡ଼ିପଟେ ରହୁଥିବା ଅନ୍ୟ ସମ୍ପର୍କୀୟଙ୍କୁ ନଜରବନ୍ଦୀରେ ରଖି ଅନ୍ୟ ଦୁର୍ବୃତ୍ତ ଜଗିରହିଥିବା ବେଳେ ସୀମାଦ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଓ ସୁନା ଅଳଙ୍କାର ସହ ନଗଦ ଯାହା ଅଛି ଦେବାକୁ କହିଥିଲେ । ଘରେ ଥିବା ନଗଦ ୩ ଲକ୍ଷ ସହ ସୁନା ଅଳଙ୍କାର ପ୍ରାୟ ୨୦ ଲକ୍ଷ ଟଙ୍କାର ନେଇ ଦୁର୍ବୃତ୍ତମାନେ ସେଠାରୁ ପଳାଇଯାଇଥିଲେ । ଦିବାଲୋକରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ବଜାର ଚଳପ୍ରଚଳ ରହିଥିଲେ ସୁଦ୍ଧା କେହି ଟିକିଏ ମଧ୍ୟ ଜାଣିପାରି ନ ଥିଲେ । ସେପଟେ ପୋଲିସ ପକ୍ଷରୁ ବଡ଼ଦିନ ପାଇଁ ବିଭିନ୍ନ ସ୍ଥାନରେ ନାକା ଲଗାଇ ଗାଡି ମୋଟର ଯାଞ୍ଚ ପୋଲିସ ଉପସ୍ଥିତି ଜାହିର କରି ଫ୍ଲାଗମାର୍ଚ୍ଚ କରାଯାଉଥିଲେ ମଧ୍ୟ ଅପରାଧୀଙ୍କ ଟିକିଏ ମଧ୍ୟ ପୋଲିସ ପ୍ରତି ଭୟ ନଥିବା ନେଇ ଜୋରଦାର ଆଲୋଚନା ହେଉଛି ।

Leave A Reply

Your email address will not be published.