csstore

ହକ୍‌ ପାଇଁ ଧାରଣାରେ ଚାଷୀ

  • ସମସ୍ତ ଚାଷୀଙ୍କୁ ଅତି ଶୀଘ୍ର ଟୋକନ ପ୍ରଦାନ ଏବଂ ମଣ୍ଡିରୁ ବିନା କଟଣି ଛଟଣିରେ ଧାନ ଉଠା ନ ଯାଏ ତାହେଲେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତ ସମୟରେ ଚାଷୀଙ୍କ ଆକ୍ରୋଶର ଶିକାର ହେବେ : ଲିଂଗରାଜ

ବରଗଡ, (ମୁନ୍ନା ସାହୁ) : ଅତର୍କିତ ଭାବରେ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଶତାଧିକ ଚାଷୀ ଜିଲ୍ଲାପାଳ ଅଫିସକୁ ପଶିଯାଇ ନାରାବାଜି ସହିତ ଧାରଣାରେ ବସିଥିଲେ । ଏହି ସମୟରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତା-ଧସ୍ତି ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମଣ୍ଡି ଖୋଲିବାର ପ୍ରାୟ ଗୋଟିଏ ମାସ ବିତି ଯାଇଥିଲେ ହେଁ ବହୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ । ଅନେକ ଚାଷୀମାନଙ୍କୁ ୬/୭ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଛି । ବହୁ ଚାଷୀଙ୍କ ଟୋକନ ଫେବୃଆରୀ ଶେଷ ଯାଏଁ ବିକ୍ରି କରିବା ପାଇଁ ଆସିଛି । ଏଥିସହ ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଛି ସେମାନଙ୍କ ଧାନ ଉଠୁନାହିଁ । ମିଲର ଗାଡି ମଣ୍ଡିକୁ ଆସୁନାହିଁ । କଟଣି ଛଟଣି ଚରମ ସୀମାରେ ପହଞ୍ଚିଛି । ସରକାର ପ୍ରତିଦିନ ଧାନ କିଣିବା ପାଇଁ ସୀମା ଧାର୍ଯ୍ୟ କରିଛନ୍ତି । ଯେଉଁଥିପାଇଁ ଅତି ମନ୍ଥର ଗତିରେ ଧାନ ଉଠୁଛି । ଏହି ସମସ୍ୟାର ସମାଧାନ କରାନଯାଏ ତାହେଲେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଂଗରାଜ କହିଛନ୍ତି । ଜିଲ୍ଲାରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମାତ୍ର ୧୫ରୁ ୨୦ ଭାଗ ଧାନ ବିକ୍ରି ହୋଇଛି । ଯଦି ଏପରି ମନ୍ଥର ଗତିରେ ଧାନ କିଣା ଯାଏ ତାହେଲେ ଧାନ କିଣା ଅନିଦ୍ଧିଷ୍ଟ କାଳ ଯାଏଁ ଲାଗିବ । ତେଣୁ ଡେଲିମିଟକୁ ହଟାଇ ଯୁଦ୍ଧକାଳୀନ ଭିତ୍ତିରେ ଧାନକିଣା ପ୍ରକ୍ରିୟାକୁ ଚଲାଇବାକୁ ଜୟ କିଷାନ ଆନ୍ଦୋଳନ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଚାଷୀଙ୍କ ଧାରଣା ସ୍ଥଳକୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଏବଂ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଆସି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଧାରଣାରୁ ଉଠିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟ କିଷାନ ଆନ୍ଦୋଳନର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ, ବରିଷ୍ଠ ନେତା ଶିବ ପ୍ରସାଦ ପ୍ରଧାନ, ଚଞ୍ଚଳ ପ୍ରଧାନ, ମହେଶ୍ୱର ପ୍ରଧାନ, ସୁରେନ୍ଦ୍ର ମେହେର, ଭଞ୍ଜନ ବାରିକ, ଯିତୁ ବେହେରା, ଅରୁଣ କୁମାର ସାହୁ, ଅରୁଣ ପ୍ରଧାନ, ବିଜୟ ପ୍ରଧାନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.