ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଆଶୀଷ ପତ୍ର ପ୍ରଦାନ ଦ୍ୱାରା ବିଦ୍ୟାର୍ଥୀମାନେ ଆଗକୁ ବଢିବାକୁ ଉତ୍ସାହ ଓ ପ୍ରେରଣା ପାଇଥାନ୍ତି ବୋଲି ଶୁକ୍ରବାର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ ଛପନ ତମ ବାର୍ଷିକ ଉତ୍ସବ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟ ନାୟକ ମତ ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ଼ମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ପ୍ରତିଷ୍ଠା ସମୟର ପ୍ରଥମ ଛାତ୍ର ତଥା ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରାଳୟର ଅବସର ପ୍ରାପ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ତତ୍କାଳୀନ ଶିକ୍ଷାୟତନ ଓ ଶିକ୍ଷକଙ୍କ କର୍ତ୍ତବ୍ୟ ନିଷ୍ଠାର ଅବତାରଣା କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ କିଶୋର ପ୍ରଧାନ, ଦୀର୍ଘ ବର୍ଷ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରିଥିବା ଚକ୍ରଧର ପ୍ରଧାନ, ଅନ୍ୟତମ ପ୍ରତିଷ୍ଠାତା ମଣ୍ଡଳୀ ସଦସ୍ୟ ଅଭିନ୍ନାନନ୍ଦ ପ୍ରଧାନ, ବରିଷ୍ଠ ଆଇନଜୀବୀ ତଥା ପ୍ରାକ୍ତନ ଛାତ୍ର ଭୀମସେନ ପ୍ରଧାନ, ଡେଲାଙ୍ଗ ବ୍ଲକ ଆତ୍ମା ପରିଷଦ ଅଧ୍ୟକ୍ଷ ଲଡ଼ୁକିଶୋର ରାୟ, ବର୍ଷୀୟାନ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଆଞ୍ଚଳିକ ସାଧନ ସଂଯୋଜକ କୃତ୍ତିବାସ ପରିଡା ପ୍ରମୁଖ ଏହି ଗ୍ରାମବାସୀଙ୍କ ଶିକ୍ଷା ସଚେତନତା ସମ୍ପର୍କରେ ଆଲୋକପାତ କରିବା ସହ ଗ୍ରାମରେ ଶିଶୁ ବାଟିକା, ଅଙ୍ଗନବାଡି ଠାରୁ ଆରମ୍ଭ କରି ସ୍ନାତକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ସୁବିଧା ହୋଇପାରିଥିବା ପ୍ରକାଶ କରିଥିଲେ । ପ୍ରଧାନଶିକ୍ଷକ ଓ଼ମ ମହାପାତ୍ର ବିଦ୍ୟାଳୟର ଗରିମାମୟ ଐତିହ୍ୟ ତଥା ଚିତ୍ରାଙ୍କନ, ବିଜ୍ଞାନ ପ୍ରଦର୍ଶନୀ, ନୃତ୍ୟ ସଙ୍ଗୀତ, କ୍ରିଡ଼ା, ପ୍ରବନ୍ଧ ଆଦି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ, ବିଦ୍ୟାଳୟର ସଫଳତା, ସମସ୍ୟା ସମ୍ବଳିତ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ଚକ୍ରଧର ପ୍ରଧାନ ବିଦ୍ୟାଳୟର ପୁରାତନ ଆଜବେଷ୍ଟସ ଚାଳ ପରିବର୍ତନ କରି ପକ୍କା କଂକ୍ରିଟ ଛାତରେ ପରିଣତ କରିବା, ପ୍ରଶସ୍ତ ଖେଳ ପଡିଆର ଉନ୍ନତିକରଣ ଓ ପ୍ରବେଶ ପଥରେ ସୁଦୃଶ୍ୟ ସ୍ଥାୟୀ ତୋରଣ ନିର୍ମାଣ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମ୍ୟ ଶିକ୍ଷା ସୁରକ୍ଷା କମିଟି ଓ କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ପ୍ରାକ୍ତନ ଛାତ୍ର ରମେଶ ଚନ୍ଦ୍ରଙ୍କ ଦ୍ୱାରା ସମସ୍ତ ପଞ୍ଚଷଠି ଜଣ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଆଦି ପାଠ୍ୟ ଉପକରଣ, ଛାତ୍ରୀଙ୍କୁ ଛତା ପ୍ରଦାନ କରାଯିବା ସହ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶିକ୍ଷା ସୁରକ୍ଷା କମିଟି ସଭାପତି ଅଜୟ କୁମାର ସାହୁ, ସମ୍ପାଦକ ସଂସଦ କୁମାର ପ୍ରଧାନଙ୍କ ପକ୍ଷରୁ ପ୍ରଥମ ଛାତ୍ର ତଥା ଅବସରପ୍ରାପ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କୃତି କ୍ରିଡ଼ା ଶିକ୍ଷକ ନଟବର ସେଠି ଅତିଥି ପରିଚୟ, ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ସଂଯୋଜନା କରିଥିଲେ । ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ବଳିୟାରସିଂହ, ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଅଭିଲିପସା ସେଠି, ଶୁଭ ଦର୍ଶିନୀ ମହାପାତ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷା ସୁରକ୍ଷା କମିଟି ସମ୍ପାଦକ ସଂସଦ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନେ ନୃତ୍ୟ ସଂଗୀତ ପ୍ରଦର୍ଶନ କରିଥିଲେ ।