csstore

ମୁରିବାହାଲ ବିରାଟ ଧନୁଯାତ୍ରା ମହୋତ୍ସବ ୧୭ ତାରିଖ ବୁଧବାରରୁ

  • ଆୟୋଜକଙ୍କ ସାମ୍ବାଦିକ ସମ୍ମିଳନୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଆସନ୍ତା ୧୭ ତାରିଖ ବୁଧବାରଠାରୁ ସ୍ଥାନୀୟ ଧନୁଯାତ୍ରା ପଡିଆରେ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ସୋମବାର ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଆୟୋଜକ କମିଟି ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ଆସନ୍ତା ତା ୧୭/୧୨/୨୫ରୁ ଏହା ଆରମ୍ଭ ହୋଇ ତା ୨୩/୧୨/୨୫ ପର୍ଯ୍ୟନ୍ତ ଏହି ବିରାଟ ଧନୁଯାତ୍ରା ମହୋତ୍ସବ ଏଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ମୁରିବାହାଲ ସଦର ମହକୁମା ମଥୁରାନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିବ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମଞ୍ଚ କଳାକାର ଆର୍ତ୍ତତ୍ରାଣ ସୁନାନୀ ମହାରାଜ କଂସ ଭୂମିକାରେ ତଥା ସାଥୀମାନଙ୍କ ଦ୍ଵାରା ମହାରାଜ କଂସଙ୍କ ଦରବାର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଲୋକ ପ୍ରତିନିଧି ତଥା ପଦାଧିକାରୀମାନେ ସ୍ଵତନ୍ତ୍ର ଅତିଥି ରୂପେ ଯୋଗ ଦେବାକୁ ନିଜର ସ୍ଵୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାରର ଲୋକନୃତ୍ୟ, ଯାତ୍ରା ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ସହ ବହୁ ପ୍ରତିଭାମାନଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧନା କରାଯିବ । ଏହି ବିରାଟ କାର୍ଯ୍ୟକ୍ରମକୁ ଉପସ୍ଥିତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜି, ମୁରିବାହାଲ, ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକ ଅଞ୍ଚଳର ସମସ୍ତ ପ୍ରିଣ୍ଟ, ଇଲେ୍ଟ୍ରୋନିକ୍ସ, ୱେବ୍ ଓ ପୋର୍ଟାଲର ସାମ୍ବାଦିକମାନେ ଏହାର ବ୍ୟାପକ ପ୍ରଚାର ପ୍ରସାର କରି ଏହି ଅଞ୍ଚଳର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ତରୁଣ ପୋଡ଼, ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର, କୋଷାଧ୍ୟକ୍ଷ ଭରତ ଦାସ, ପଦ୍ମଲୋଚନ ସାହୁ, କାର୍ଯ୍ୟକାରୀ ସଭାପତି ରମେଶ ନାଗ, ରାଜୀବ ମହାନ୍ତି, ସୁଦାମ ବଘାର, ସୁଦାମ ସାହୁ, ଉପସଭାପତି ବିଶ୍ଵବିହାରୀ ଯୋଶୀ, ନାରାୟଣ ସାହୁ, ଲକ୍ଷ୍ମୀକାନ୍ତ ଧରୁଆ, ସୁଧାଂଶୁ ପୋଡ଼ ଯାଦବ, ଉଦିତ କଟା, ତୁଳସୀ ସାହୁ, ପ୍ରେମାନନ୍ଦ ମାଝୀ, କୁନ୍ତ ପୋଡ, ହୃଦା ସାହୁ, ମଧୁସୂଦନ ନାଗ, ନେପାଳ ସାହୁ ଓ ଯଦୁ ସାହୁଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମୁରିବାହାଲ, ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ଅଞ୍ଚଳର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.