ଜୟପାଟଣା, (ଶେଷଦେବ ବେହେରା) : କେତେ ସ୍ୱପ୍ନ ଆଙ୍କି ନଅ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ରୁବି । ମାସ ଗଡିଲା ପରେ ସବୁ ସ୍ୱପ୍ନ ଚୁର୍ମାର୍ ହେବାକୁ ବସିଲା । ଦାମ୍ପତ୍ୟ ଜୀବନର ସବୁ ସୁଖ ସମ୍ଭୋଗ ଉଜୁଡ଼ି ଗଲା । ଗତକାଲି ପୂର୍ବାହ୍ନରେ ତାର ଶାଢ଼ୀ କାନିରେ ଲଟକି ଥିବା ନିସ୍ପନ୍ଦ ଶରୀର ଦେଖିବାକୁ ମିଳିଥିଲା । ରୁବିର ପରିବାର ଲୋକଙ୍କ ପାଖରେ ହତ୍ୟା ବା ଆତ୍ମହତ୍ୟାର କାରଣ ଅନେକ ଥାଇ ମଧ୍ୟ ପୋଲିସ ପାଖରେ ଅଭିଯୋଗ କରିବାକୁ ପଡିଲା । ଜୟପାଟଣା ଥାନାରେ ରୁବିର ବାପା ଘରଲୋକ ରୁବିର ଶାଶୁ ଓ ଦେଢ଼ଶାଶୁ ଉପରେ ଅଭିଯୋଗ ଆଣିଲେ । ଶେଷରେ ଡାକ୍ତରଖାନାରୁ ଶବ ଜବତ ହୋଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଗଲା । ଏବେ ବାକି ରହିଲା ଜୟପାଟଣା ପୋଲିସର ତଦନ୍ତ ପ୍ରକ୍ରିୟା । ହତ୍ୟା ନା ଆତ୍ମହତ୍ୟା ପଛରେ କାରଣ ଖୋଜା ଚାଲିଲା । କେବେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଲୋକଙ୍କ ମଧ୍ୟରେ ମୃତକ ପାଇଁ ସହାନୁଭୂତି ରହିଥିବା ବେଳେ ଦୋଷୀ ଚିହ୍ନଟ କ୍ଷେତ୍ରରେ ମଧ୍ୟ ଉତ୍ସୁକତା ବଢ଼ିବାରେ ଲାଗିଛି । ୧୮/୨/୨୦୨୫ ଠିକ୍ ନଅ ମାସ ତଳେ ମଦନପୁରର ୨୫ବର୍ଷର ଝିଅ ରୁବି ସାଙ୍ଗରେ ଜୟପାଟଣା ବ୍ଲକ ଅନ୍ତର୍ଗତ ପତିଗୁଡ଼ା ଗ୍ରାମର ସତ୍ୟବାଦୀ ସାଙ୍ଗରେ ବିବାହ ସମ୍ପନ୍ନ ହୋଇଥିଲା । ଯୌତୁକରେ ମଧ୍ୟ କିଛି କମ କରି ନଥିଲେ ବାପ ଘରଲୋକ । ବୁଲେଟ ଗାଡ଼ିରୁ ଆରମ୍ଭ କରି ଲାପଟପ୍ ପର୍ଯ୍ୟନ୍ତ ଦିଆଯାଇଥିଲା । ସ୍ୱାମୀଙ୍କ ସାଙ୍ଗରେ ରୁବିର ସମ୍ପର୍କ ସ୍ୱାଭାବିକ ଥିବାବେଳେ ଶାଶୁ ଓ ଦେଢ଼ଶାଶୁ ସାଙ୍ଗରେ ସମ୍ପର୍କ ତିକ୍ତ ହେବାକୁ ଲାଗିଲା । ଅନେକ ବୁଝାଇବାକୁ ଚେଷ୍ଟା କରିଥିଲା ରୁବି । ପରବର୍ତ୍ତୀ ସମୟରେ ସମ୍ପର୍କ ତିକ୍ତ ହୋଇ ଉଠିଲା । ବିଭିନ୍ନ ସମୟରେ ସ୍ୱାମୀ ସମାଧାନର ରାସ୍ତା ନ କାଢି ସବୁବେଳେ ନୀରବ ରହୁଥିଲେ । ଏ ସମ୍ପର୍କରେ ରୁବି ମଧ୍ୟ ବିଭିନ୍ନ ସମୟରେ ନିଜ ପରିବାର ଲୋକଙ୍କୁ ଅବଗତ କରାଇଥିଲା । ମଙ୍ଗଳବାର ପୂର୍ବାହ୍ନରେ ସ୍ୱାମୀ ସତ୍ୟବାଦୀ କାମରେ ମୁଖୀଗୁଡା ବାହାରି ଯାଇଥିଲା । ସେତେବେଳେ ଶାଶୁଙ୍କ ଯାତନା ରୁବି ଉପରେ ଆରମ୍ଭ ହୋଇଯାଇଥିଲା । ପ୍ରାୟ ମଙ୍ଗଳବାର ୧୦.୩୬ ସମୟରେ ରୁବି ଘରଲୋକଙ୍କୁ ଫୋନ୍ ମାଧ୍ୟମରେ ଶୁଣାଇ ଦେଇଥିଲା । ପରେ ଆଉ ରୁବି ସାଙ୍ଗରେ କୌଣସି ସମ୍ପର୍କ ହୋଇପାରିଲା ନାହିଁ । ରୁଦ୍ଧ କୋଠରୀ ମଧ୍ୟରେ ରହିଗଲା ରୁବି । କୋଠରୀ ଭିତରକୁ ପଶି ଦେଖିଲା ବେଳକୁ ଶାଢ଼ୀ କାନିରେ ବେକ ଲଟକି ସମସ୍ତ ଶରୀର ନିସ୍ତେଜ୍ ହୋଇଯାଇଥିଲା । ସତ୍ୟବାଦୀ ଅସି ରୁବିକୁ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନା ଆଣିଲା ବେଳକୁ ଡାକ୍ତର ସେଠାରେ ମୃତ ଘୋଷଣା କରିଦେଇଥିଲେ । ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସେବା ହସ୍ତାନ୍ତର କଲାପରେ ପଟିଗୁଡ଼ାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଗଲା । ଏବେ ପୋଲିସ ତଦନ୍ତ ପ୍ରତୀକ୍ଷାରେ ଜନସାଧାରଣ ରହିଥିବା ବେଳେ ରୁବିର ହତ୍ୟା ନା ଆତ୍ମହତ୍ୟା ପଛର ନାୟକମାନେ କିଏ ତାହା ଏବେ ତଦନ୍ତ ସପେକ୍ଷ ବୋଲି ଆଲୋଚନା ହେଉଛି ।